କେନ୍ଦୁଝର : ୩ ଫୁଟର ପାଇଖାନା ଘରେ କଟୁଛି ୩ ପ୍ରାଣୀ କୁଟୁମ୍ବଙ୍କ ଜୀବନ

38

କନକ ବ୍ୟୁରୋ : ପାଇଖାନା ଘରେ ବିତୁଛି ଡାକ୍ତରଙ୍କ ଜୀବନ । ୩ ଫୁଟର ପାଇଖାନା ଘରେ ରହୁଛନ୍ତି ୩ ପ୍ରାଣୀ କୁଟୁମ୍ବ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଇଚିଣ୍ଡା ଗାଁରେ । ନିଜ ଜାଗାରେ ଥିବା ଘର ଖଣ୍ଡିକ ଭାଙ୍ଗି ଯାଇଥିବାରୁ ଖଣି କମ୍ପାନୀ ପକ୍ଷରୁ ମିଳିଥିବା ପାଇଖାନା ଘରେ ରହୁଛନ୍ତି ଡାକ୍ତର ନାୟକଙ୍କ ପରିବାର । ସ୍ୱାମୀ, ସ୍ତ୍ରୀ ଓ ଛୁଆ ଏହି ପାଇଖାନା ଘରେ ମୁଣ୍ଡ ଗୁଂଜିଥିବା ବେଳେ ବାହାରେ ରୋଷେଇ କରି ଖାଇଥାନ୍ତି । ବର୍ଷା ହେଲେ ରୋଷେଇ ବନ୍ଦ । ଖଣିଖାଦାନ ଭରା ଏହି ଅଂଚଳରେ ପୂର୍ବରୁ ଗାଡି ଡ୍ରାଇଭର ଭାବେ କାମ କରୁଥିବା ଡାକ୍ତରଙ୍କ ରୋଜଗାର ଏବେ ବନ୍ଦ ହୋଇଯାଇଛି । ଖଣି ବନ୍ଦ ପରେ ଅସୁସ୍ଥତା କାରଣରୁ ମୁଲମଜୁରୀ ବି ଲାଗି ପାରୁ ନାହାଁନ୍ତି ଡାକ୍ତର । ବିପିଏଲ କାର୍ଡ ନଥିବାରୁ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘର ମଧ୍ୟ ମିଳିନି ।