ଗର୍ଜୁଛି ଗଜରାଜ ! ହାତୀ ପାଇଁ ମାସେ ହେଲାଣି ହୀନସ୍ତା, ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି ପରିବାର ।

669

କନକ ବ୍ୟୁରୋ : ହାତୀ ଭାଙ୍ଗିଦେଲେ ଘର । ମାସେ ହେଲା ପିଲା ଛୁଆଙ୍କ ସହିତ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥ‌ାରେ ଗଛ ଉପରେ ରହୁଛନ୍ତି ପ୍ରଦୀପ ନାଏକଙ୍କ ପରିବାର । ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା କିମ୍ବା ଘର କରିବା ପାଇଁ ଆଶ୍ବାସନା ମିଳିନାହିଁ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ପାଟମୁଣ୍ଡା ଗ୍ରାମ ପଞ୍ଚାୟତ ମିଥିର୍ଡା ଗ୍ରାମର ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।

କେନ୍ଦୁଝର ଜିଲ୍ଲା ସୀମାନ୍ତ ମିଥିର୍ଡା ଗ୍ରାମର ପ୍ରଦୀପ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ପରିବାର କହିଲେ ପତ୍ନୀ ଓ ୪ ସନ୍ତାନ । ବହୁକଷ୍ଟରେ ଏକ ଆଜ୍‌ବେଷ୍ଟସ୍‌ ଘର ତିଆରି କରି ସେ ପରିବାର ସହିତ ରହୁଥିଲେ । ଜୁଲାଇ ୧୫ ତାରିଖ ଦିନ ହାତୀପଲ ଗାଁରେ ପଶି ପ୍ରଦୀପଙ୍କ ଘରକୁ ଭାଙ୍ଗି ଦେଇଥିଲେ । ଭଙ୍ଗା ଘରେ ରହିବା ସମ୍ଭବ ନୁହେଁ, ତେଣୁ ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଦୀପ ଏବେ ଏକ ଆମ୍ବ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି । ଆମ୍ବ ଗଛ ମୂଳରୁ ପ୍ରାୟ ୧୪/୧୫ ଫୁଟ୍‌ ଉଚ୍ଚରେ କାଠ ଓ ବାଉଁଶ ଖଣ୍ଡ ବାନ୍ଧି ତା’ ଉପରେ ପଲିଥିନ ପକାଇ ଘର ଭଳି କରାଯାଇଛି ।

ମଞ୍ଚାରେ ଖଟିଆ ପକାଇ ପରିବାରର ୬ ସଦସ୍ୟ ରହୁଛନ୍ତି । ପ୍ରଦୀପଙ୍କ ସହିତ ତାଙ୍କର ୧୨ ବର୍ଷ ବୟସ୍କ ମଧ୍ୟରେ ୪ ସନ୍ତାନ ମଧ୍ୟ ଗଛ ଚଢି ଉପରକୁ ଯାଉଛନ୍ତି । ଗଛରେ ରହିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବା ପ୍ରଦୀପ କହିଛନ୍ତି । ହାତୀ ଘର ଭାଙ୍ଗିଥିବା ନେଇ ସେ ସ୍ଥାନୀୟ ସରପଞ୍ଚ ଓ ଜଙ୍ଗଲ ବିଭାଗକୁ ଜଣାଇଥିଲେ । ତାଙ୍କ ଦୁଃଖ କେହି ଶୁଣିଲେନି । ହାତୀଙ୍କ ପାଇଁ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ବ୍ୟବସ୍ଥା ଥିବା ବେଳେ ପ୍ରଦୀପଙ୍କ ପ୍ରତି କାହିଁକି ଅବହେଳା କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରୁଛନ୍ତି ।