ନୂଆପଡା : ମଣ୍ଡିରେ ଧାନ ବିକ୍ରି କରିବାରୁ ପରିବାର ଲୋକ ବାସନ୍ଦ

46

କନକ ବ୍ୟୁରୋ : ମଣ୍ଡିରେ ଧାନ ବିକ୍ରି କରିବାରୁ ପରିବାର ଲୋକ ବାସନ୍ଦ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ସଦର ବ୍ଲକ ବେଲଟୁକୁରୀ ଥାନା ଅନ୍ତର୍ଗତ ଭାନପୁର ଗାଁରେ । ସୂଚନା ଅନୁସାରେ ବ୍ରିଜଲାଲ ରଣା ନାମକ ଜଣେ ଚାଷୀ ମଣ୍ଡିରେ ଦାନ ବିକ୍ରି କରିଥିଲେ । ଚଳିତ ବର୍ଷ ନିଜ ନାମରେ ଥିବା ୬ ଏକର ଜମି ସହ ପରିବାର ସଦସ୍ୟଙ୍କ ନାମରେ ଥିବା ପାଖାପାଖି ୧୦ ଏକର ଜମି ଓ ଭାଗ ଚାଷ ଭାବରେ ପାଖାପାଖି ୪ ଏକର , ଏମିତି ୨୦ ଏକରରୁ ଉଦ୍ଧ୍ୱର୍ ଜମି ଚଳିତ ବର୍ଷ ଚାଷ କରିଥିଲେ ବ୍ରିଜଲାଲ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ସାଂଗକୁ ରୋଗ ପୋକ ଦାଉ ସାଧିଥିଲା । ଏଥିଯୋଗୁଁ ଧାନ ଅମଳ କମିଯାଇଥିଲା । ୨୦ ଏକର ଜମିରେ ଚାଷ କରିବା ସତ୍ୱେ ମାତ୍ର ୧୫୦ ବସ୍ତା ଧାନ ପାଇଥିଲେ ବ୍ରିଜଲାଲ୍ ।

ଶତ ପ୍ରତିଶତ ସବସିଡି ପାଇବା ଆଶାରେ ଭାନପୁର ଗାଁ ଲୋକେ ମଣ୍ଡିରେ ଧାନ ବିକିବା ସମସ୍ତଙ୍କୁ ତାଗିତ କରିଥିଲେ । ଉଚିତ ମୂଲ୍ୟ ପାଇବା ଆଶାରେ ସ୍ଥାନୀୟ କୁଲିଆବନ୍ଧା ମଣ୍ଡିରେ ବ୍ରିଜଲାଲ ଧାନ ବିକ୍ରି କରିଥିଲେ । ପାଖାପାଖି ୪୬.୨୦ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ବ୍ରିଜଲାଲ । ତେବେ ଗାଁ ଲୋକେ ଏଥିରେ ଖପ୍ପା ହୋଇ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଛନ୍ତି । ଗୁରୁବାର ରାତିରେ ଗାଁ ମୁଖିଆଙ୍କ ଦ୍ୱାରା ଗାଁରେ ଏକ ବୈଠକ ବସିଥିଲା । ଗାଁ ଲୋକଙ୍କ ବିରୋଧରେ ଯାଇ ବ୍ରିଜଲାଲ ଧାନ ବିକ୍ରି କରିଥିବାରୁ ଆର୍ଥିକ ଦଣ୍ଡ ସହ ସାମାଜିକ ବାସନ୍ଦ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହା ବ୍ୟତୀତ ଗାଁ ବୈଠକରେ ହୋଇଥିବା ନିଷ୍ପତ୍ତି ନମାନିଲେ ଓ ବ୍ରିଜଲାଲଙ୍କ ପରିବାର ସହ କେହି କଥାହେଲେ ୫୦୦୧ ଜୋରିମାନା ଦେବାକୁ ପଡ଼ିବ ବୋଲି ଚୌକିଦାର ଗାଁ ଦାଣ୍ଡରେ ବୁଲି ବୁଲି ଚେତାବନୀ ଦେଇଥିଲେ  ।

ଏବେ ଗାଁରୁ ବାସନ୍ଦ ହୋଇଛନ୍ତି ବ୍ରିଜଲାଲଙ୍କ ପୁରା ପରିବାର । ନିଅାଁ ପାଣି ବନ୍ଦ ହେବା ସହ ତାଙ୍କ ପରବାର ସହ କେହି କଥା ମଧ୍ୟ ହେଉ ନାହାନ୍ତି । ଯାହା ଫଳରେ ବ୍ରିଜଲାଲଙ୍କ ପରିବାର ମାନସିକ ଚିନ୍ତାଭାର ସହି ନ ପାରି ଆଜି ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହାସହିତ ତହସିଲଦାର ଙ୍କୁ ଗୁହାରି କରିଥିଲେ । ସୁଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ବୈଠକରେ ଅନୁପସ୍ଥିତି ଥିବା ଯୋଗୁଁ ବ୍ରିଜଲାଲ ଧାନ ବିକ୍ରି ନେଇ କିଛି ଜାଣି ନ ଥଲେ । ଏବଂ ଅମଳ ହେବା ପରେ କୁଲିଆବନ୍ଧା ମଣ୍ଡିରେ ବିକ୍ରି କରିଥିଲେ ଧାନ ।

ଏନେଇ ଗ୍ରାମବାସୀମାନେ ୭୫% ସବସିଡି ପାଇବାରୁ ବଂଚିତ ହେଉଥିବାରୁ ବ୍ରିଜଲାଲଙ୍କୁ ଉକ୍ତ ସବସିଡି ପ୍ରଦାନ କଲେ ଗ୍ରାମରେ ସାମିଲ କରିବୁ ବୋଲି ଧମକ ଦେଇଛନ୍ତି । ତେବେ ଏନେଇ ନୂଆପଡା ତହସିଲଦାର ଜୟଶ୍ରୀ ପାଢ଼ୀଙ୍କୁ ପଚାରିବାରୁ ସେ କହିଛନ୍ତି ସବସିଡି ସହିତ ଧାନବିକ୍ରିର କିଛି ସାମଞ୍ଜସ୍ୟ ନାହିଁ । ଯଦି ଧାନବିକ୍ରିକୁ ନେଇ କାହାକୁ ବାସନ୍ଦ କରାଯାଇଛି, ତେବେ ଆମ ପାଖକୁ ଅଭିଯୋଗ ଆସିଲେ ଏହା ତଦନ୍ତ କରାଯିବା ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଏହି ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।