ଦିଗହରା ହେଲା ଖୁସି ଯୋଜନା : ଶ୍ରେଣୀ ଗୃହରେ ପଡ଼ି ରହିଛି ହେଲେ ବଣ୍ଟା ହୋଇପାରୁନି ନାପକିନ୍

235

କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ ‘ଖୁସି’ ଯୋଜନାରେ ସ୍କୁଲ୍ କଲେଜ ଛାତ୍ରୀଙ୍କ ପାଇଁ ନାପକିନ୍ ବଣ୍ଟନ ବ୍ୟବସ୍ଥା କରାଯାଇଛି । ତେବେ, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ୍‌ରେ ଏହି ଯୋଜନା ଦିଗହରା ହୋଇପଡ଼ିଛି । ଚଳିତ ଶିକ୍ଷାବର୍ଷର ୨ ମାସ ବିତିଯାଇଥିଲେ ମଧ୍ୟ ଛେଣ୍ଡିପଦା ବ୍ଲକର ଛାତ୍ରୀଙ୍କୁ ନାପକିନ୍ ବଣ୍ଟନ ହୋଇପାରିନାହିଁ । ଅନ୍ୟପକ୍ଷରେ ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ଗୋଟିଏ ଶ୍ରେଣୀ ଗୃହରେ ନାପକିନ୍ ବଣ୍ଟନ ନ ହୋଇ ରଖାଯାଇଥିବାରୁ ସେଠାରେ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟ ସରକାର ‘ଖୁସି’ ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ୍ ଲେଖାଁଏ ନାପକିନ୍ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି । ଛାତ୍ରୀଙ୍କୁ ସୁବିଧାରେ ନାପକିନ୍ ବଣ୍ଟନ ଓ ବ୍ୟବହାର ନେଇ ବ୍ଲକ୍‌ର ୧୦୨ଜଣ ଶିକ୍ଷୟିତ୍ରୀଙ୍କୁ ୧୦ ମାସ ପୂର୍ବରୁ ତାଲିମ ପ୍ରଦାନ କରାଯାଇଛି । ବ୍ଳକ୍‌ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୭ ହଜାର ୫୧୪ ଛାତ୍ରୀଙ୍କ ପାଇଁ ୧୭ ହଜାର ୮୭୪ ପ୍ୟାକେଟ୍‌ ନାପ୍‌କିନ୍‌ ବ୍ୟବସ୍ଥା କରାଯାଇଛି । ୨ ମାସ ପୂର୍ବରୁ ସମସ୍ତ ନାପକିନ୍ ଅଣାଯାଇ ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ଗୋଟିଏ ଶ୍ରେଣୀ କକ୍ଷରେ ରଖାଯାଇଛି । ଫଳରେ ବିଦ୍ୟାଳୟରେ ଶ୍ରେଣୀ କକ୍ଷର ଅଭାବ ଦେଖାଦେଇଛି ।

ବ୍ଲକ୍‌ର ସିଆରସିସିମାନଙ୍କୁ ନାପକିନ୍ ବଣ୍ଟନ ଦାୟିତ୍ୱ ଦିଆଯାଇଛି । ତେବେ ବ୍ଳକରୁ ୪୦ କିମି ପର୍ଯ୍ୟନ୍ତ ଦୂରରେ ଥିବା ବିଦ୍ୟାଳୟଗୁଡ଼ିକୁ ନାପକିନ୍ ବଣ୍ଟନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସିଆରସିସିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନାପକିନ୍ ବଣ୍ଟନ ପାଇଁ ବିଧିବଦ୍ଧ ଭାବେ ଉପର ମହଲରୁ କୌଣସି ନିର୍ଦେଶ ନଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ବଣ୍ଟନ ହୋଇପାରୁ ନାହିଁ । ମୂଷା ଓ ଉଇ ଯୋଗୁଁ ବନ୍ଦ କୋଠରୀରେ ରଖାଯାଇଥିବା ନାପକିନର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ନାପକିନ ବଣ୍ଟନ ସମୟ ଗଡ଼ିଯାଉଥିବାରୁ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ବିପିଏମ ସଂଜୟ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ଉଚ୍ଚ ଅଧିକାରୀଙ୍କ ସହ ପରାମର୍ଶ କରି ଖୁବ୍‌ଶୀଘ୍ର ନାପକିନ୍ ବଣ୍ଟନ କରାଯିବ ବୋଲି କହିଥିଲେ ।