ଏହି ରାସ୍ତା ଆପଣାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀକାନ୍ତ ଜେନାଙ୍କୁ ଦେଲେ ପ୍ରସ୍ତାବ । ରାତି ଆଲୋଚନାର ଭିତିରି କଥା… #ଡାହାମିଛ

146

(ବି. ଦ୍ର : ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।)

ରାତି ପାଖାପାଖି ୧୦ଟା ୩୦ । କ୍ଷମତା ଅଳିନ୍ଦର କିଛି କଥା ଜାଣିବାକୁ ଗଳିକନ୍ଦି ବୁଲୁଥାଏ । କାରଣ ରାଜନୀତି ଏଠି ପ୍ରତି ମୁହୁର୍ତ୍ତରେ ରଙ୍ଗ ବଦଳାଉଥାଏ । ପଛରେ ରହିଗଲେ, କଥା ସରିଲା । ଅଫିସରୁ ଖାଲି ଗାଳି ମେଂଚେ ପଡିବ । ରାତି ଦିନ ସବୁବେଳେ ଖାଲି କାମ ଆଉ କାମ । ଛାଡ, କଣ ଆଉ କରିବା । ଶିଶୁଭବନ ଛକରୁ ଆଗକୁ ବଢିଲାବେଳେ ହଠାତ ମୋ ନଜର ଆସି ଅଟକି ଗଲା ଶ୍ରୀକାନ୍ତ ଜେନାଙ୍କ ଘର ସାମ୍ନାରେ । ଅବଶ୍ୟ ଏଠି ବେଶୀ ଭିଡ ଦେଖିବାକୁ ମିଳେନି, ହେଲେ ସେଦିନ ପାଖାପାଖି ୫ଟି ଇନୋଭା ଲାଗିଥିଲା । ହଠାତ୍ କିଛି ବୁଝି ପାରିଲିନାହିଁ । ମରୁଡି ସମୟରେ ଆକାଶରେ କଳାବାଦଲ ଘୋଟି ଆସିଲେ ଯୋଉ ଆନନ୍ଦ, ଠିକ ସେଭଳି ଅନୁଭବ ମତେ ଆସିଲା । ଯାହାହେଉ, ଏତେଦିନ ପରେ ଶ୍ରୀକାନ୍ତ ଜେନାଙ୍କ ଘର ଆଗରେ ଟିକେ ଭିଡ ଦେଖିଲି । ସେ ଯୋଉ ଲୋକ, ଭୁବନେଶ୍ୱରରେ କମ୍, ଦିଲ୍ଲୀରେ ଅଧିକ ରୁହନ୍ତି । ବହୁତ କମ୍ କଥାବାର୍ତ୍ତା କରନ୍ତି । ଆବଶ୍ୟକ ଥିଲେ ଡାକନ୍ତି, ନହେଲେ ଚିହ୍ନନ୍ତିନି । ବଡ ନେତା ସିଏ, ଆମ ଭଳି ପ୍ରତିନିଧିଙ୍କୁ କାହିଁକି ବା ଖୋଜିବେ । ବଡ ବଡ ସାମ୍ବାଦିକଙ୍କ ସହ ତାଙ୍କ ଉଠାବସା ।


ମୁଳ କଥାକୁ ଆସିବା । ଇନୋଭା ଗାଡି ୫ଟା ଦେଖି ମୋ ସାଇକେଲ ଅଟକିଗଲା । ଭିତରକୁ ଯାଇ ଦେଖିବାକୁ ଇଛା ହେଲା, ଶ୍ରୀକାନ୍ତଙ୍କ ଦରବାରରେ ଅତିଥି କିଏ? ପ୍ରଥମେ ଭାବିଲି, କଂଗ୍ରେସ ସଂଗଠନର ନବକଳେବର ହୋଇଛି ତ, କାଳେ ନିରଂଜନ ଆଉ ଅନ୍ୟ ନେତାମାନେ ବସି କଂଗ୍ରେସକୁ ଦୃଢ କରିବାକୁ ଆଲୋଚନା କରୁଥିବେ । ବାହାରଟା ଅନ୍ଧାର ହୋଇଥିବାରୁ କିଛି ଅନ୍ଦାଜ ଲଗାଇବା ମୁସ୍କିଲ ହେଲା । ଧୀରେ ଧୀରେ ଗେଟ ଖୋଲି ଭିତରକୁ ଗଲାବେଳେ ପୁରା ଅକଲ ଗୁଡୁମ । ଭିତରେ ଯାହା ଦୃଶ୍ୟ ଥିଲା, ତାହା ଚକିତ କରିଦେଲା । ଶ୍ରୀକାନ୍ତଙ୍କ ଦରବାରରେ ଅତିଥି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋସ୍ ଉଡିଗଲା ଭଳି ସ୍ଥିତି ମୋର । କେବେ ଏମିତି ଦେଖିନି ନା, ପ୍ରଥମ ଥର ପାଇଁ ଦେଖିଲାବେଳକୁ ହଂସା ଉଡିଗଲା ଭଳି ଲାଗିଲା । ପାଣି ଗିଲାସେ ମାରିଦେଇ କଥା ଶୁଣିବାକୁ ପ୍ରୟାସ କଲି । ଯାହା ସବୁ କାନରେ ପଡିଲା, ଲାଗିଲା ଆଜିର ବଡ ଖବର ମିଳିଗଲା । ସେମିତିରେ ବି ଏପ୍ରିଲ ମାସ, ଭଲ ଆପ୍ରେଜାଲଟେ ମିଳିବ । ଖାତା କଲମ ଧରି ଟିପିବାକୁ ଲାଗିଲି ।


ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀଙ୍କ ଆଳାପର ଅଂଶ । ଧର୍ମେନ୍ଦ୍ର ପ୍ରଧାନ ଏକ ବିସୃତ ପ୍ରସ୍ତାବ ଧରି ଶ୍ରୀକାନ୍ତଙ୍କୁ ବୁଝାଉଥାନ୍ତି । ପ୍ରସଙ୍ଗ ଥିଲା, କିଭଳି ନବୀନ ବାବୁଙ୍କୁ ଗାଦିଚ୍ୟୁତ କରାଯିବ । ଅବଶ୍ୟ ଏହି ଫର୍ମୁଲା କାହା ପାଖରେ ନାହିଁ । ହେଲେ ପେଟ୍ରୋଲ ମନ୍ତ୍ରୀ ଯେଉଁ ପ୍ରସ୍ତାବଟି ରଖିଥିଲେ, ତାକୁ ଶୁଣିଲା ପରେ ଲାଗିଲା, ଏକା ଶ୍ରୀକାନ୍ତ ହିଁ ନବୀନଙ୍କ ଗାଦିଚ୍ୟୁତ କରିପାରିବେ । ଧର୍ମେନ୍ଦ୍ରଙ୍କ ହିସାବରେ, ଶ୍ରୀକାନ୍ତ ଜେନା ଚକ୍ରାନ୍ତ କରିବାରେ ମାହିର । ସଜ ମାଛରେ ପୋକ ପକାଇବାରେ ଓସ୍ତାଦ । ଯର ଭାଙ୍ଗିବାର କଳା ତାଙ୍କଠାରୁ ଭଲ ଆଉ କେହି ଜାଣିନାହାନ୍ତି । ତେଣୁ ବିଜେଡି ଘରକୁ ଭାଙ୍ଗିଦେଲେ କଥା ସରିଲା । ନେତା ଥିଲେ ସିନା ନବୀନ ଜିତିବେ, ତେଣୁ ବିଜେଡିର ମୁଳଦୁଆ ଦୋହଲାଇବାକୁ ଶ୍ରୀକାନ୍ତ ଅର୍ଥାତ୍ ଚକ୍ରାନ୍ତ ଜେନାଙ୍କ ସହଯୋଗ ଲୋଡିଥିଲେ ଧର୍ମେନ୍ଦ୍ର ।


କଥା ଶୁଣି ଲାଗିଲା, ଯାହାହେଉ ଏଥର ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ହେବା ପକ୍କା । ଆଉ ଶ୍ରୀକାନ୍ତ ସୁପର ସିଏମ୍ ହେବେ । କାରଣ ଶ୍ରୀକାନ୍ତଙ୍କ ଠାରୁ ଭଲ ଘରଭଙ୍ଗା ଆଉ କେହି ମିଳିବେ ନାହିଁ । ଆପଣ ଭାବିବେ, ଆମେ ଖାଲିଟାରେ ତାଙ୍କୁ ଏତେବଡ ଉପାଧି ଦେଉଛୁ । ଦେଖୁନାହାନ୍ତି, ନୁଆ ନୁଆ ସଂଗଠିତ ହୋଇ ଆଗକୁ ବଢୁଥିବା କଂଗ୍ରେସକୁ ପଛକୁ ଟାଣିବାକୁ ଶ୍ରୀକାନ୍ତ ଯେଉଁ ଉଦ୍ୟମ କଲେ, ତାକୁ ଦେଖିଲା ପରେ ଆଉ କଣ କୁହାଯିବ । ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ଶ୍ରୀକାନ୍ତ ନିଜଆଡୁ ପ୍ରସ୍ତାବ ରଖି କହିଲେ, କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ଆଉ କିଏ ଉପ-ମୁଖ୍ୟମନ୍ତ୍ରୀ ହେବ । ଆଉ ଏକଥା ଶୁଣିବା ପରେ କଂଗ୍ରେସିଆ ଉଠେଇ ପକେଇ ଶ୍ରୀକାନ୍ତଙ୍କୁ ପ୍ରଶଂସା(ଗାଳି) କରୁଛନ୍ତି । ଯିଏ ଶୁଣିଲା ସିଏ କହୁଛି, ଶ୍ରୀକାନ୍ତ ହିଁ ଉପଯୁକ୍ତ ଗୋଟିଏ ଘର ଭାଙ୍ଗିଦେବାକୁ । ପୂର୍ବ ଅଭ୍ୟାସ ନା ଏତେ ଜଲଦି କୁଆଡେ ଯିବ ।


ସେ ଯାହାହେଉ, ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ କିନ୍ତୁ ଆମ ମନକୁ ପାଇଲା । ଯଦି ଶ୍ରୀକାନ୍ତ ବିଜେଡି ଘରକୁ ଭାଙ୍ଗିଦିଅନ୍ତି, ଯାହା ତାଙ୍କ ପାଇଁ ସମ୍ଭବ ମଧ୍ୟ ତେବେ ଧର୍ମେନ୍ଦ୍ରଙ୍କ ରାସ୍ତାର କଂଟା ସଫା ହୋଇଗଲା । ଏଥର ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କେହି ରୋକିପାରିବେ ନାହିଁ । ସବୁ କଥା ଶୁଣି ଶ୍ରୀକାନ୍ତ ବି ମନେ ମନେ ହସୁଥିବେ । ଭାବୁଥିବେ, ଯାହା ହେଉ ତାଙ୍କ ପାଖରେ ଯେଉଁ କଳା ଅଛି, ତାକୁ ନିଜ ଦଳ ଅର୍ଥାତ୍ କଂଗ୍ରେସ ଚିହ୍ନି ପାରିଲା ନାହିଁ ହେଲେ ଧର୍ମେନ୍ଦ୍ରଙ୍କ ଭଳି ରାଜନୈତିକ ବିରୋଧୀ ଜାଣିଗଲେ । କିଛି ଦିନ ଭିତରେ ଜବାବ ଦେବାର ପ୍ରତିଶ୍ରୁତି ଦେଲେ ଶ୍ରୀକାନ୍ତ ଜେନା ଆଉ ଧର୍ମେନ୍ଦ୍ରଙ୍କୁ ମେଲାଣି ଦେଲେ ।
ହେଲେ ଏହାରି ଭିତରେ ଗେଟ ନିକଟରେ ମତେ ଦେଖି ଚମକି ପଡିଲେ ଦୁଇ ବାବୁ । କଥା ବାଆଁରେଇବାକୁ ଚେଷ୍ଟା କଲେ । କହିଲେ, ଏମିତି ରାଜ୍ୟର ସ୍ୱାର୍ଥ କଥା ହେବାକୁ ଆସିଥିଲୁ । ଆଉ ମୁଁ ବି ହସି ହସି କହିଲି, ଦୁଇ ନେତାଙ୍କ ଦର୍ଶନ କରିବାକୁ ଆସିଥିଲି । ଇନୋଭାରେ ସୈନ୍ୟ ସାମନ୍ତ ଧରି ଧର୍ମେନ୍ଦ୍ର ବାହାରିଲେ । ମୁଁ ବିଚରା ସାଇକେଲ ପେଲି ପେଲି ଘରକୁ ଆସିଲି । ଖରାଦିନ, ଝାଳନାଳ ହୋଇ ଘରକୁ ଆସିଲା ବେଳେ ଲାଇଟ ନଥିଲା । ନବୀନ ସରକାର ଉପରେ ଢେର ବିରକ୍ତ ହେଲି । ଲାଇଟ ଟିକେ ବି ଠିକ ସେ ଦେଇ ପାରୁନାହାନ୍ତି ଆଉ କଣ ବା କରିପାରିବେ । ଭଗବାନଙ୍କୁ ଡାକିଲି, ହେ ପ୍ରଭୁ ଭକ୍ତଙ୍କ ମନୋସ୍କାମନା ପୂରଣ କରେ । ଜୟ ଜଗନ୍ନାଥ ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫