ଖୋଲୁଛି ‘ସୋଆ’ର ସତ ! ବିଶ୍ୱବିଦ୍ୟାଳୟର ନିଯୁକ୍ତି ଠକେଇରେ ମିଳିଲା ଠକ କନସଲଟାନ୍ସିର ଠିକଣା

23

କନକ ବ୍ୟୁରୋ : ମିଛ କଂପାନୀରେ ମିଛ ଚାକିରି ଦେଇ ହରଡଖଣାରେ ଫଶିଥିବା ‘ସୋଆ’ ବିଶ୍ୱବିଦ୍ୟାଳୟ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । କ୍ୟାମ୍ପସକୁ ମିଛ କଂପାନୀ ଆସି ଚାକିରି ପାଇଁ ଅଫର ଦେଇଥିବା ଆଜି ପୁଲିସ୍ ସ୍ପଷ୍ଟ କରିଛି । ଆଉ ଏଥିରେ କେବଳ ପ୍ଲେସମେଂଟ୍ ଅଧିକାରୀ ନୁହେଁ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରିଛି । ଆଉ ଏହାରି ଭିତରେ ସୋମବାର ପ୍ରକାଶ ପାଉଛି ଠକେଇର ଶିକାର ହୋଇଥିବା ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ।

ଏକାଧିକ ମିଛ କଂପାନୀ ଏବଂ ଏଥିରେ ଏକାଧିକ ଲୋକଙ୍କ ସନ୍ଦେହ କରି ଛାନବିନକୁ ତ୍ୱରାନ୍ୱିତ କରିଛି ପୁଲିସ । ଆଉ ଏହାରି ଭିତରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ମନୋଜ ନାୟକଙ୍କୁ ଗିରଫ ଦାବି କରି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିବା ସହ ଏହି ଜାଲିଆତିର ଭିଜିଲାନ୍ସ ତଦନ୍ତ ଦାବି କରିଛି ।

ଏସବୁ ଭିତରେ ଆସନ୍ତା ସୋମବାର ପ୍ରକାଶ ପାଉଛି-ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ଯେଉଁମାନେ ଏଥିରେ କୃତକାର୍ଯ୍ୟ ହେବେ ସେମାନେ ଏହି ମିଛ ଚାକିରିର ମାୟାଜାଲରେ ଛନ୍ଦି ହୋଇଥିଲେ ସୁଦ୍ଧା ବିକଳ୍ପ ବ୍ୟବସ୍ଥା କରିବ ଶିକ୍ଷାନୁଷ୍ଠାନ । ମାତ୍ର ଯେଉଁମାନେ ବିଫଳ ହେବେ, ସେମାନଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ନାହିଁ । ତେଣୁ ଜାଣିଶୁଣି କିଛି ପିଲାଙ୍କୁ ଏଥିରେ ବ୍ୟାକ୍ ଲାଗଇ ଦେବାର କିଛି ଛାତ୍ର ଆଶଙ୍କା ପ୍ରକାଶ କରୁଛନ୍ତି ।