ନକଲି ନୋଟ ପ୍ରସ୍ତୁତ କରୁଥିବା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ ! କେମିତି ପ୍ରସ୍ତୁତ ହେଉଥିଲା ନକଲି ନୋଟ, ଡେମୋ ଦେଖାଇଲା ଅଭିଯୁକ୍ତ

45

କନକ ବ୍ୟୁରୋ : ଟିକିଏ ସାବଧାନ ରୁହନ୍ତୁ । ହୁଏତ ଆପଣ ଦୋକାନରୁ ଆଣୁଥିବା ନୋଟ ନକଲି ହୋଇପାରେ । କାହିଁକି ନା ମାର୍କେଟରେ ଘୁରି ବୁଲୁଛି ନକଲି ନୋଟ । ନକଲି ନୋଟ ପ୍ରସ୍ତୁତ କରୁଥିବା ଏପରି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ । ଏହି ଅଭିଯୁକ୍ତମାନେ ଆବଶ୍ୟକ ଅନୁସାରେ ଅର୍ଡର ନେଉଥିଲେ । ଆଉ କିଛି ଘଂଟା ମଧ୍ୟରେ ପ୍ରସ୍ତୁତ ହୋଇ ପହଂଚିଯାଉଥିଲା ନକଲି ନୋଟ । ତେବେ ପୋଲିସ ଆଗରେ ଏହି ଚାଲାକି ଧରା ପଡି ଯାଇଥିଲା ।

୫୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା । ବେଶ ଚକାଚକ୍ ଏହି ବଣ୍ଡଲ ବଣ୍ଡଲ ନୋଟକୁ ଦେଖିବା ମାତ୍ରେ କେହି ବି ଅତି ସହଜରେ ଧୋକା ଖାଇଯିବ । ଅବିକଳ ଅସଲି ଭଳି ଦେଖାଯାଉଥିବା ଏହି ନୋଟ ଗୁଡିକ କିନ୍ତୁ ନକଲି । ଏହିପରି ନୋଟ୍ ପ୍ରସ୍ତୁତ କରୁଥିବା ଏକ କାରଖାନାରେ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସର କୁଇକ୍ ଆକ୍ସନ ଟିମ୍ ।

ବ୍ରହ୍ମପୁରରେ ଚାଲିଥିଲା ଏହି ଜାଲ୍ ନୋଟ୍ କାରଖାନା । ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ । ସେସବୁକୁ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର ପର୍ଯ୍ୟନ୍ତ ଆଣି ବଜାରକୁ ଛଡାଯାଉଥିଲା । ଏମିତି ଏକ ଜାଲ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛି । ଏହା ସହିତ ଜାଲ୍ ନୋଟ୍ ପ୍ରସ୍ତୁତ କରୁଥିବା ଏକ ବଡ ରାକେଟର ପର୍ଦାଫାସ୍ ହୋଇଛି । କମିସନରେଟ୍ ପୋଲିସ୍ ନକଲି ଟଙ୍କା ପ୍ରସ୍ତୁତ ହେଉଥିବା ଏହି କାରଖାନା ଉପରେ ଚଢ଼ଉ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ସହଯୋଗୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୪ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଓ ବ୍ୟବହୃତ ହେଉଥିବା ସମସ୍ତ ମେସିନକୁ ଜବତ କରିଛି ପୋଲିସ୍ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ ପୋଲିସ୍ ।

ଏବେ ଜାଣନ୍ତୁ କେମିତି ଚାଲିଥିଲା ଏହି ରାକେଟ। ଯେଉଁ ଟଙ୍କାକୁ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ପରିଶ୍ରମ କରିବାକୁ ପଡେ, ଏହି ଗ୍ୟାଙ୍ଗ ତାକୁ ଘରେ ବସି ମାତ୍ର କିଛି ସମୟ ଭିତରେ ତିଆରି କରେ । ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କାର ନକଲି ନୋଟ ତିଆରି କରି ଅତି ସହଜରେ ବଜାରକୁ ଛାଡନ୍ତି ଅଭିଯୁକ୍ତମାନେ । ଗୋଟିଏ ଘଂଟାରେ ଛପା ହୁଏ ଲକ୍ଷ ଲକ୍ଷ ଟଙ୍କା । ଅର୍ଡର ମୁତାବକ ଏଜେଂଟ ମାଧ୍ୟମରେ ହାତ ପାହାନ୍ତାରେ ପହଂଚି ଯାଏ ଟଙ୍କା । ଏକଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ ନେଲେ ଦେବାକୁ ହେଉଥିଲା ୨୫ ହଜାର ଅସଲି ଟଙ୍କା । ଯାହାକୁ ପରେ ବଜାରରେ ଅତି ଚାଲାକି ଭାବେ ଛାଡ଼ି ଦିଆଯାଉଥିଲା । ଆଉ ଏହି ନକଲି ନୋଟର ମାଷ୍ଟରମାଇଣ୍ଡ ୫ କାରିଗରଙ୍କ କାରନାମା ଦେଖି କୁଇକ ଆକ୍ସନ ଟିମର ବି ହୋସ ଉଡିଯାଇଥିଲା । ଟଙ୍କାର ରଙ୍ଗ ଠାରୁ ଆରମ୍ଭ କରି ଆରବିଆଇର ଷ୍ଟିକର ପର୍ଯ୍ୟନ୍ତ ସବୁକୁ ନକଲ କରି ପାରୁଥିଲେ ଅଭିଯୁକ୍ତ ମାନେ । ଯଦି ଠିକ୍ ଭାବରେ ଏହି ନୋଟକୁ ଦେଖି ନ ଅଣାଯାଏ ତେବେ ଆପଣଙ୍କୁ ହାତକୁ ଆସିପାରେ ନକଲି ନୋଟ ।

ଭୁବନେଶ୍ୱରରୁ ବ୍ରହ୍ମପୁର ଦେଇ ଚାଲିଛି ଏହି ଜାଲ ନୋଟର କାରବାର । ଏପରି ମଧ୍ୟ ସଂଦେହ ହେଉଛି ଯେ ନକଲି ନୋଟର ରାକେଟ୍ ଚେର ବେଶ ଲମ୍ବା । ଯାହାର ପର୍ଦ୍ଦାଫାଶ କରିବାକୁ ତନାଘନା ଆରମ୍ଭ କରିଛି କମିସନରେଟ୍ ପୋଲିସ ।