ଓଡିଶା ବଜାରରେ ଘୁରିବୁଲୁଛି ଜାଲ ନୋଟ ! ବାରିପଦାରେ ୯୨ ଖଣ୍ଡ ୨ ହଜାର ଟଙ୍କିଆ ନକଲି ନୋଟ ଜବତ କଲା ପୁଲିସ

43

କନକ ବ୍ୟୁରୋ : ଓଡିଶା ବଜାରରେ ଘୁରି ବୁଲୁଛି ଜାଲ ନୋଟ । ଜାଲ ନୋଟ କାରବାରର ଚେର ପଶ୍ଚିଂମବଙ୍ଗରୁ ଓଡିଶାକୁ ଲମ୍ବିଛି । ବାରିପଦାରୁ ୯୨ ଖଣ୍ଡ ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିବା ସହ ଜଣେ ଅନ୍ତଃରାଜ୍ୟ ଠକକୁ ବାନ୍ଧିଛି ପୁଲିସ । ଜାଲ ନୋଟ କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ ଏସ୍.କେ. କାଲିମୁଦିନକୁ ଗିରଫ କରିଛି ମୟୂରଭଂଜ ପୁଲିସ । କାଲିମୁଦିନ୍ ଠାରୁ ଜବତ ହୋଇଥିବା ନୋଟ୍ ଗୁଡିକ ଅବିକଳ ନକଲ ହୋଇଥିବା ବେଳେ ସେଗୁଡିକର ନମ୍ବର ସମାନ ରହିଛି ।

ଦୁଇ ଦିନ ତଳେ ମୟୂରଭଞ୍ଜ ମାଣିଦା ଗାଁରେ ୨ଜଣ ଯୁବକ ଜାଲ୍ ନୋଟ୍ ଦେଇ ତେଜରାତି ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ଧରାପଡିଥିିଲେ । ସେମାନଙ୍କୁ ଜେରା ବେଳେ ଏହି କାରବାରର କିଙ୍ଗପିନ୍ କାଲିମୁଦିନର ନାଁ ସାମ୍ନାକୁ ଆସିଥିଲା । ଆଜି ଠକ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହ ଜାଲ ନୋଟ କାରବାରର ଚେର ବାବଦରେ ଜାଣିବାକୁ ପାଇଛି ପୁଲିସ । ଜେରା ସମୟରେ ଏସ୍.କେ. କାଲିମୁଦିନ୍ କହିଛି, ନୋଟ୍ ଗୁଡିକୁ ସେ ପଶ୍ଚିମବଙ୍ଗ ମାଲଦା ଅଂଚଳର ଇସାବ ଅଲ୍ଲୀଙ୍କ ଠାରୁ ୧୦ହଜାର ଟଙ୍କା ଦେଇ ଆଣିଥିଲା । ଏସ୍.କେ. କାଲିମୁଦିମକୁ କୋର୍ଟ ଚାଲାଣ କରିଛି ପୋଲିସ । ଜାଲ ନୋଟ କାରବାରର ଚେରରେ ପହଂଚିବା ପାଇଁ ମୟୂରଭଂଜ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ମାଲଦା ଅଂଚଳରେ ଚଢାଉ କରିବ ବୋଲି ସୂଚନା ମିଳିଛି ।