ଶିକ୍ଷା ଓ ଅନୁସନ୍ଧାନ କ୍ୟାମ୍ପସରେ ଉତେଜନା ! କ୍ୟାମ୍ପସ ଚୟନ ନାଁରେ ଛାତ୍ରଛାତ୍ରୀଙ୍କୁ ଧରେଇ ଦିଆଯାଇଛି ନକଲି ନିଯୁକ୍ତି ପତ୍ର

46

କନକ ବ୍ୟୁରୋ : ଫସିଲେ ଛାତ୍ରଛାତ୍ରୀ । ଚାକିରୀ ନାଁରେ ନକଲି ଅଫର ଲେଟର ପାଇଛନ୍ତି ଛାତ୍ରଛାତ୍ରୀ । ପ୍ଲେସମେଂଟ ନାଁରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦୟାଳୟ, ସୋଆର ପ୍ରାୟ ଅନେକ ଛାତ୍ରଛାତ୍ରୀ ବଡ ଠକେଇର ଶୀକାର ହୋଇଛନ୍ତି । କ୍ୟାମ୍ପସ ପ୍ଲେସମେଂଟ ଜରିଆରେ ଏହି ଛାତ୍ରଛାତ୍ରୀ ଅଫର ଲେଟର ପାଇଥିଲେ । କିନ୍ତୁ ଚାକିରୀରେ ଯୋଗଦେବାକୁ ଯାଇ ଏମାନଙ୍କୁ ନିରାଶ ହେବାକୁ ପଡିଛି । ଖବର ଅନୁସାରେ, ସୋଆରେ କ୍ୟାମ୍ପସ ଚୟନ ଜରିଆରେ ପ୍ରାୟ ଅନେକ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ଗୁଡଗାଁଓର ୯ଟି କମ୍ପାନୀରେ ଚାକିରୀ ପାଇଁ ଅଫର ଲେଟର ଦିଆଯାଇଥିଲା । ରାଜ୍ୟ ବାହାରର ଏକ ଘରୋଇ କନସଲଟାନସି ସଂସ୍ଥା ଏହି ଅଫର ଲେଟର ଦେଇଥିଲା ।

କିନ୍ତୁ ଗୁଡଗାଁଓ ଯିବା ପରେ ସଂପୃକ୍ତ ଛାତ୍ରଛାତ୍ରୀ ଅଫର ଲେଟର ନକଲି ବୋଲି ଜାଣିବାକୁ ପାଇଥିଲେ । ଅଫର ଲେଟର ଦେଇଥିବା କନସଲଟାନସି ସଂସ୍ଥା ସହ ସଂପୃକ୍ତ କମ୍ପାନୀଗୁଡିକର କୌଣସି ସମ୍ପର୍କ ନଥିବା ଜଣାପଡିଥିଲା । ଏ ନେଇ ଛାତ୍ରଛାତ୍ରୀ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ପୁଲସି ଘଟଣାରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇଦେଇଛି । ନକଲି ଅଫର ଲେଟରକୁ ନେଇ ସୋଆ ଛାତ୍ରଛାତ୍ରୀ ଓ ଅଭିଭାବକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବାବଦରେ ସୋଆର ପ୍ଲେସମେଂଟ ସେଲକୁ ଜଣାଇଦିଆଯାଇଛି । ନକଲି ଅଫର ଲେଟରକୁ ବିଶ୍ୱବିଦୟାଳୟ କର୍ତୃପକ୍ଷ ସ୍ୱୀକାର କରିଛନ୍ତି । ଏଥିପାଇଁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ଅଫର ଦିଆଯାଇଛି ।

ଅଫର ଅନୁସାରେ, ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଏକବର୍ଷ ଯାଏଁ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ବର୍ଷକ ମଧ୍ୟରେ ସଂପୃକ୍ତ ଛାତ୍ରଛାତ୍ରୀ ଚାକିରୀ ପାଇଲେ ଷ୍ଟାଇପେଣ୍ଡ ଦିଆଯିବନାହିଁ । ସେହିଭଳି ଏମଟେକ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କଠାକୁ କୋର୍ସ ଫି ନିଆଯିବନାହିଁ । ଏମବିଏ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କଠାରୁ ଗୋଟିଏ ବର୍ଷର ପାଠ୍ୟକ୍ରମ ଦେୟ ନ ନେବାକୁ ଅଫର ଦିଆଯାଇଛି । ତେବେ ସୋଆ ଭଳି ବିଶ୍ୱବିଦୟାଳୟରେ ଛାତ୍ରଛାତ୍ରୀ କିଭଳି ଏଭଳି ବଡ ଠକେଇର ଶୀକାର ହେଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଛାତ୍ରଛାତ୍ରୀମାନେ ଆଜି ସୋଆ ବିଶ୍ୱବିଦୟାଳୟ ଆଗରେ ହୋହଲ୍ଲା କରିଛନ୍ତି ।