ନକଲି ଡାକ୍ତର ପାଇଁ ଚାଲିଗଲା ଜୀବନ ! ଭୂଲ ଇଂଜେକସନ ଦ୍ୱାରା ପ୍ରାଣ ହରାଇଲେ ଅଷ୍ଟମ ଶ୍ରେଣୀ ଛାତ୍ର ।

33

ନକଲି ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ ନାବାଳକର ଜୀବନ ଚାଲିଯାଇଛି । ସୁଚନା ମୁତାବକ ରାଜନଗର ବାଲିକଣା ଗାଁର ମେଘନାଦ ବାରିକଙ୍କ ୮ମ ଶ୍ରେଣୀରେ ପଢ଼ୁଥିବା ପୁଅ ସୁବ୍ରତର ଜୀବନ ଦୀପ ଲିଭିଯାଇଛି । ଏଭଳି ଅଭାବନୀୟ ଘଟଣା ସମଗ୍ର ରାଜନଗର ଅଂଚଳରେ ତୀବ୍ର ପତିକ୍ରିୟା ସୃଷ୍ଟି କରିଛି । ଛାତ୍ରର ମୃତ୍ୟୁ ଖବର ପାଇ ଉତ୍ୟକ୍ତ ଲୋକେ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ନିସ୍ତୁକ ମାଡ ମାରି ପୁଲିସ୍ ଜିମା ଦେଇଛନ୍ତି । ପୁଲିସ୍ ମୃତ ନାବାଳକର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ନକଲି ଡାକ୍ତରଙ୍କୁ ଗିରଫ କରିଛି ।

ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣା ଗାଁର ମେଘନାଦ ବାରିକଙ୍କ ଏକମାତ୍ର ପୁଅ ସୁବ୍ରତଙ୍କୁ ଜ୍ୱର ହୋଇଥିଲା । ସୁବ୍ରତଙ୍କୁ ତାର ବାପା ଚିକିତ୍ସା ପାଇଁ ଗାଁରେ ଥିବା ପଶ୍ଚିମବଙ୍ଗର ନକଲି ଡାକ୍ତର ଇନ୍ଦ୍ରଜିତ୍ ବିଶ୍ୱାସଙ୍କ ପାଖକୁ ନେଇଥିଲେ । ଇନ୍ଦ୍ରଜିତ୍ ସୁବ୍ରତଙ୍କୁ ଟ୍ରାକ୍ସନ୍ ୩୫୦ ଏମ୍.ଏଲ୍. ଇଂଜେକ୍ସନ୍ ଦେଇଥିଲେ । ଟ୍ରାକ୍ସନ୍ ୧୨୦ ଏମ୍.ଏଲ୍. ବଦଳରେ ଟ୍ରାକ୍ସନ୍ ୩୫୦ ଏମ୍.ଏଲ୍. ଇଂଜେକ୍ସନ ଦିଆଯିବା ଯୋଗୁଁ ସୁବ୍ରତଙ୍କ ସ୍ୱାସ୍ଥ୍ୟ ଅଧିକ ଅସୁସ୍ଥ ହୋଇପଡିଥିଲା । ପାଟିରୁ ଫେଣ ବାହାରିବା ସହ ଦେହ ଧିରେ ଧିରେ ନିସ୍ତେଜ ହୋଇଯାଇଥିଲା । ଇଂଜେକ୍ସନ୍ ଦିଆଯିବାର ମାତ୍ର ୧୦ ମିନିଟ୍ ମଧ୍ୟରେ ନକଲି ଡାକ୍ତରଙ୍କ ବେଆଇନ୍ କ୍ଲିନିକ୍ରେ ସୁବ୍ରତଙ୍କର ମୃତ୍ୟୁ ଘଟିଥିଲା । ପୁଅ କଥା ନକହିବାରୁ ପରିବାର ଲୋକେ ସୁବ୍ରତକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମୃତ ଘୋଷଣା କରିଥିଲେ । ସୁବ୍ରତଙ୍କୁ ମୃତ୍ୟୁଘୋଷଣା କରାଯିବା ପରେ ସମଗ୍ର ରାଜନଗର ଅଂଚଳରେ ଏ ନେଇ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା

ସ୍ଥାନୀୟ ଲୋକେ ନକଲି ଡାକ୍ତରଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ ମାରିଥିଲେ । ସ୍ଥାନୀୟ ଲୋକେ ନକଲି ଡାକ୍ତରଙ୍କୁ ଆଣି ରାଜନଗର ଥାନାରେ ଜିମା ଦେଇଥିଲେ । ମୃତ ସୁବ୍ରତର ବାପା ମେଘନାଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାଙ୍କ ପୁଅକୁ ଜ୍ୱର ହୋଇଥିବାରୁୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଭୂଲ୍ ଚିକିତ୍ସା ଓ ଇଂଜେକ୍ସନ ଦେବା ଯୋଗଁ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।