ଅସଲି ଡାକ୍ତରଖାନାରେ ନକଲି ଡାକ୍ତର । ତିନି ବର୍ଷ ଧରି ସୁନ୍ଦରଗଡର ନୂଆଗାଁରେ ଚିକିତ୍ସକ ସାଜିଥିଲା ଠକ

ସିଡିଏମଓ ଦେଇଥିଲେ ନିଯୁକ୍ତି; ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କ ଜୀବନ ସହ ଚାଲିଛି ମାରାତ୍ମକ ଖେଳ

605

କନକ ବ୍ୟୁରୋ: ଅସଲି ହସ୍ପିଟାଲ, ନକଲି ଡାକ୍ତର । ନକଲି ଡାକ୍ତର ସାଜିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ । ଦିନେ ନୁହେଁ କି ମାସେ ନୁହେଁ ପ୍ରାୟସାଢେ ୩ବର୍ଷ ଧରି ଡାକ୍ତରୀ ପାଠ ପଢିନଥିବା ଜଣେ ଠକ ହାତରେ ଚାଲିଛି ଗ୍ରାମାଚଂଳର ସ୍ୱାସ୍ଥ୍ୟ ସେବା । ଜିଲ୍ଲାପାଳ ଓ ସିଡିଏମଓଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି । ଏହି ଘଟଣା ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କ ଜୀବନ ସହ କିଭଳି ମାରାତ୍ମକ ଖେଳ ଖେଳାଯାଉଛି, ତାକୁ ପଦାରେ ପକାଇଛି ।

ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡାକ୍ତର ପଦ୍ମନାଭ ମୁଖୀ-କାରୱା । ସୁନ୍ଦରଗଡ ଜିଲ୍ଲାର ହାତୀବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ନୂଆ ଗାଁ ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି ଏହି ଡାକ୍ତର । ମାସିକ ଦରମା ୫୫ ହଜାର ଟଙ୍କା । ଏବେ ତାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ହୋଇଛି, ଏହି ଡାକ୍ତରଙ୍କ ଏମବିବିଏସ ଡିଗ୍ରି ସାର୍ଟିଫିକେଟ ଜାଲ । ଦୁଇଟି ତାରିଖରେ ରହିଛି ଦୁଇଟି ସାର୍ଟିଫିକେଟ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ପଦାରେ ପକାଇଛି ଏହି ଡାକ୍ତରଙ୍କ ଅସଲ ଚେହେରା । ସିଡିଏମଓଙ୍କୁ ଏନେଇ ଅବଗତ କରାଇଛନ୍ତି ହାଇଟେକ ମେଡିକାଲ କଲେଜ ପ୍ରଫେସର ।

ଆରଟିଆଇ ତଥ୍ୟକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଅସଲ ସତ । ଏହି ବ୍ୟକ୍ତି ଜଣଙ୍କ ୨୦୧୬ ମସିହାରେ ସିଡିଏମଓଙ୍କ ଦ୍ୱାରା ନିଯୁକ୍ତି ପାଇବା ପୂର୍ବରୁ ଆରଏସପି, ରେଳବାଇ ଓ ହାଇଟେକ ମେଡିକାଲ ଭଳି ସଂସ୍ଥାରେ ଡାକ୍ତର ଭାବେ କାମ କରୁଥିଲେ । ତେବେ ପରବର୍ତି ସମୟରେ ସେଠାରୁ ତଡା ମଧ୍ୟ ଖାଇଥିଲେ । ଏବେ ପୁଣି ଥରେ ବନିଛନ୍ତି ଡାକ୍ତର । ଏହି ବ୍ୟକ୍ତି ଜଣଙ୍କ ଜାଲ ସାର୍ଟିଫିକେଟରେ କିପରି ଡାକ୍ତର ଭାବେ କାମ କରୁଛନ୍ତି ଏବେ ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ ।