ଖାଇବା ତେଲ ପରେ ଏବେ ନକଲି ଡିଜେଲ କାରଖାନା ଠାବ ! ଅପମିଶ୍ରିତ ତୈଳ କାରଖାନାର ଏନ୍ତୁଡିଶାଳ ପାଲଟିଛି କଟକ ସହର

41

କନକ ବ୍ୟୁରୋ: ଗତକାଲି ଜଗତପୁର ଟ୍ରକଟର୍ମିନାଲରୁ ନକଲି ଖାଦ୍ୟତେଲ କାରଖାନା ଠାବ କରାଯାଇଥିବା ବେଳେ ଆଜି ସେହି ଅଂଚଳର ପରିତ୍ୟକ୍ତ ଶୌଚାଳୟରୁ ନକଲି ଡିଜେଲ୍ କାରଖାନା ଠାବ କରାଯାଇଛି । ଜଗତପୁର ଥାନା ପୋଲିସ ଏହି କାରଖାନାରୁ ଏକ ହଜାରରୁ ଅଧିକ ଲିଟର ପିଡିଏସ୍ କିରୋସିନ୍ ଓ ଅପମିଶ୍ରିତ ଡିଜେଲ୍ ଜବତ କରିଛି । ଏଥିରେ ସମ୍ପୃକ୍ତ ନାନକାର ଅଂଚଳର କେଦାରଶ୍ୱର ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ ଟ୍ରକ ଟର୍ମିନାଲରେ ରହୁଥିବା ତେଲଟ୍ୟାଙ୍କର ରୁ ଡିଜେଲ୍ ଚୋରି କରି ସେଥିରେ କିରୋସିନ୍ ଓ କେମିକାଲ ମିଶାଇ ନକଲି ଡିଜେଲ୍ ତିଆରି କରି ଟ୍ରକ ମାଲିକଙ୍କୁ ବିକ୍ରୀ କରନ୍ତି,ଏଥିରେ ଏକ ର୍ୟାକେଟ କାମ କରୁଥିବା ପୋଲିସ କହିଛି । ଜବତ କିରୋସିନର ତନଖି ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ସୂଚନା ଦିଆଯାଇଥିବା ପୋଲିସ କହିଛି ।

ଉଲ୍ଲେଖ ଥାଉ କି, ଗତକାଲି କଟକ ଜଗତପୁର ଅଂଚଳରୁ ଏକ ନକଲି ତେଲ କାରଖାନା ଠାବ କରିଥିଲା ପୋଲିସ । ଏଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ତେଲର ନକଲ କରାଯାଉଥିଲା ବୋଲି ଜଣାପଡିଥିଲା । ଚଢାଉ ବେଳେ ଏହି କାରଖାନାରୁ ବିପୁଳ ପରିମାଣର ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ କରାଯାଇଥିଲା ।କେବଳ ସେତିକି ନୁହେଁ, ୧୫ଶହ ଲିଟର ଅପମିଶ୍ରିତ ଶୋରିଷ ତେଲ ଓ ରିଫାଇନ୍ ତେଲ ୧୦୦ଟି ଟିଣରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାର ପୁଲିସ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲା ।