ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଦଲାଲଙ୍କ ଜରିଆରେ ରାଜସ୍ଥାନରୁ ଆସିଥିଲେ ରାଜଧାନୀ, ହୋଇଥିଲା ୫ ଲକ୍ଷ ଟଙ୍କାର ଡିଲ୍ ।

496

କନକ ବ୍ୟୁରୋ : ପରୀକ୍ଷା ଥିଲା ଅସଲି, କିନ୍ତୁ ପରୀକ୍ଷାର୍ଥୀ ଥିଲା ନକଲି । ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଛି ନକଲି ପରୀକ୍ଷାର୍ଥୀ । ଜଣେ ପରୀକ୍ଷାର୍ଥୀ ବଦଳରେ ରାଜସ୍ଥାନର ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଧର୍ମବିହାର ସରସ୍ୱତୀ ଶିଶୁମନ୍ଦିରରେ ଚାଲିଥିବା ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଏହା ସାମନାକୁ ଆସିଛି । ପରୀକ୍ଷା ଖାତାରେ ନିଜ ନାମ ଭୁଲ ଲେଖିବାରୁ ଜଣା ପଡିଲା ପରୀକ୍ଷାର୍ଥୀ ଜଣକ ନକଲି ।

ଧରାପଡିଲା ନକଲି ପରୀକ୍ଷାର୍ଥୀ । ରାଜସ୍ଥାନରୁ ଆସିଥିଲା ଭୁବନେଶ୍ୱର । ନାଁ – ଆଦର୍ଶ ଚୌଧୁରୀ, ଘର – ରାଜସ୍ଥାନର ଶିକାର ଜିଲ୍ଲାରେ । ଆଦର୍ଶ ଜଣେ ମେଧାବୀ ଛାତ୍ର । ନିଟ୍ କ୍ୱାଲିଫାଏ କରିଛନ୍ତି ଏବଂ ୭୫ ପ୍ରତିଶତ ମାର୍କ ରଖିଥିବା ବାୟୋଲୋଜି ଛାତ୍ର । ଘରେ ଟଙ୍କାର ଅଭାବ ଥିବାରୁ ଟଙ୍କା କମାଇବା ଲକ୍ଷ୍ୟରେ ଆଦର୍ଶ ପାଲଟିଥିଲେ ନକଲି ପରୀକ୍ଷାର୍ଥୀ । ଅର୍ଥାତ୍ ଟଙ୍କା ନେଇ ଜଣକ ପାଇଁ ପରୀକ୍ଷା ଦେବା ପାଇଁ ରାଜସ୍ଥାନରୁ ଆସିଥିଲେ ରାଜଧାନୀ ଭୁବନେଶ୍ୱର ।

ପରୀକ୍ଷା ଅସଲି ହେଲେ ପରୀକ୍ଷାର୍ଥୀ ନକଲି । ଡିଲ ହୋଇଥିଲା ୫ ଲକ୍ଷ ଟଙ୍କା । ଗୋପର ଜଣେ ଛାତ୍ରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଡିଲ କରିଥିଲେ ୨ ଦଲାଲ୍ ଅମିୟ ଭୁଷଣ ଏବଂ ରଂଜିତ ବେଉରା । ନକଲି ପରୀକ୍ଷାର୍ଥୀ ଯୋଗାଡ ପାଇଁ ଏହି ୨ଜଣ ୫ ଲକ୍ଷ ଟଙ୍କା ନେବେ ବୋଲି ଡିଲ୍ କରିଥିଲେ । ଅମିୟ ଏବଂ ରଂଜିତ ଏଥିପାଇଁ ବିହାରର ଅମିତ ସିଂହଙ୍କ ସହଯୋଗ ନେଇଥିଲେ । ବିହାରୀ ଦଲାଲକୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଚୁକ୍ତି କରିିଥିଲେ । ସେହିପରି ଡମି ପରୀକ୍ଷାର୍ଥୀ ଆଦର୍ଶଙ୍କୁ ଦେଢ ଲକ୍ଷ ଟଙ୍କା ଦେବା ଲାଗି ପ୍ରତିଶ୍ରୁତି ଦେଇ ଓଡ଼ିଶା ଆଣିଥିଲେ ଅମିତ୍ ସିଂହ ।

ତେବେ ସବୁକିଛି ଜଣାପଡ଼ିଥିଲା, ଯେତେବେଳେ ପରୀକ୍ଷା ଖାତାରେ ନିଜ ନାଁ ଭୁଲ ଲେଖିଥିଲେ ନକଲି ପରୀକ୍ଷାର୍ଥୀ । ଖଣ୍ଡିଗିରି ଥାନା ପୁଲିସ ଏହି ନକଲି ପରୀକ୍ଷାର୍ଥୀଙ୍କ ସହ ୪ ଜଣଙ୍କୁ ଗିରଫ କରିଥିବା ବେଳେ, ବଡଗଡ ଥାନା ପୁଲିସ ଜଣେ ନାବାଳକକୁ ଅଟକ ରଖିଛି । ତେବେ ଏହି ନକଲି ପରୀକ୍ଷାର୍ଥୀଙ୍କ ନେଟୱର୍କ କେତେ ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ଅଧିକ ତନାଘନା କରୁଛି କମିସନରେଟ୍ ପୋଲିସ ।