ବ୍ୟବସାୟୀଙ୍କ ଠାରୁ ୭୦ଲକ୍ଷ ଠକେଇ ! କ୍ୟାପିଟାଲ ଥାନାରେ ଏତଲା ପରେ ଯୁବକ ଗିରଫ

25

କନକ ବ୍ୟୁରୋ: ମେଡ଼ିସିନ ଷ୍ଟୋର ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ । ପଶ୍ଚିମ ଓଡ଼ିଶାର ଜଣେ ବ୍ୟବସାୟୀଙ୍କ ଠାରୁ ୭୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ । କେନ୍ଦ୍ରାପଡ଼ା ରାଜକନିକାର ଅବିନାଶ ମହାପାତ୍ରଙ୍କୁ କଟକରୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ ।

ନିଜକୁ ଲଣ୍ଡନ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ବୋଲି ପରିଚୟ ଦେଉଥିବା ଅବିନାଶ ନୁଆପଡ଼ା ଜିଲ୍ଳା ରାଜ-ଖଡିଆଳର ଉମେଶ କୁମାର ଅଗ୍ରୱାଲଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ବ୍ରିଟେନ ମାଇକ୍ରୋସଫ୍ଟ କମ୍ପାନୀରେ ଟଙ୍କା ନିବେଶ କଲେ କମ୍ ଦିନରେ ଟଙ୍କା ଦୁଇ ଗୁଣ କରିଦେବାର ଲୋଭ ଦେଖାଇ ବ୍ୟବସାୟୀଙ୍କ ଠାରୁ ଠକେଇ କରିଛନ୍ତି ଅବନାଶ । ୭୦ ଲକ୍ଷ ନେଇଯିବା ପରେ ବ୍ୟବସାୟୀଙ୍କ ଧରାଛୁଆଁ ଦେଇନଥିଲେ ଠକ ଅବିନାଶ ।

ଶେଷରେ ଅବିନାଶଙ୍କ ବାବଦରେ ଅଧିକ ଜାଣିବା ପାଇଁ ଉମେଶ ଭୁବନେଶ୍ୱରରେ ପହଂଚିଥିଲେ । ଆଉ ଏଠାରେ ହିଁ ସେ ଜାଣିବାକୁ ପାଇଥିଲେ ଅବିନାଶ ଜଣେ ଠକ । ଏନେଇ ସେ କ୍ୟାପିଟାଲ ଥାନାରେ ଏତଲା ଦେବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ । ଗତକାଲି ଅବିନାଶ କଟକରେ ଥିବା ବେଳେ ପୁଲିସ ଅଚାନାକ ଚଢଉ କରି ୭୦ ଲକ୍ଷର ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।