ସାମ୍ନାକୁ ଆସିଲା ଆଉ ଜଣେ ଆତ୍ମଘୋଷିତ ବାବାଙ୍କ କେଳେଙ୍କାରୀ ! ରୋଗ ଭଲ କରିଦେବାକୁ କହି ମହିଳାଙ୍କୁ ବାବାଙ୍କ ମାଲିସ ଥେରାପି

46

କନକ ବ୍ୟୁରୋ : ବାବାଙ୍କ ମାଲିସ ଥେରାପି । ଉପକୂଳ ଅଂଚଳରେ ଅନେକ ବାବାଙ୍କ କାରନାମା ଆପଣ ମାନେ ଶୁଣିଛନ୍ତିି, ହେଲେ ଆଜି ଆସନ୍ତୁ ଜାଣିବା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଆଉ ଜଣେ କେଳେଙ୍କାରୀ ବାବାଙ୍କ କାରନାମା । ତେଲ ମାଲିସ କରି ଦେଲେ ଭଲ ହୋଇ ଯାଏ କ୍ୟାନସର ଓ ମଧୁମେହ ରୋଗ ଭଳି ଅନେକ ବଡ ବଡ ରୋଗ । ଏପରି ଦାବି କରୁଛନ୍ତି ସେଇ ଆତ୍ମଘୋଷିତ ବାବା । ଏହି ଆତ୍ମଘୋଷିତ ବାବାଙ୍କ ନାଁ ହେଲା ପ୍ରତୀକ ମଣ୍ଡଳ ବା ପ୍ରତୀକ ବାବା । ଆଉ ମାଲିସ ଥେରାପି ନାଁରେ ଏହି ଆତ୍ମଘୋଷିତ ବାବା ହଜାର ହଜାର ନିରିହ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳ ଖେଳୁଛନ୍ତି । ତେଲେ ମାଲିଶ କରି ଦେଲେ ଭଲ ହୋଇ ଯାଏ ସମସ୍ତ ଦୁସାଧ୍ୟ ରୋଗ । ମାଲକାନଗିରି ଜିଲ୍ଲାର ଅତି ମାଓ ପ୍ରବଣ ଓ ସମ୍ବେଦନଶୀଳ ଗାଁ କୁହା ଯା ଥିବା ଏମ.ଭି ୭୬ ଗାଁରେ ଗତ କିଛି ଦିନ ଧରି ଏହି ବାବାଙ୍କୁ ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ଧରି ସାଧନା କରିବା ପରେ ସ୍ୱପ୍ନରେ ଦେବୀଙ୍କୁ ପାଇ ଥିବା ଦାବି କରନ୍ତି ପ୍ରତୀକ ମଣ୍ଡଳ । ବିଶେଷ କରି ମହିଳା ମାନେ ଅନେକ ଦୁଃସାଧ୍ୟ ରୋଗରେ ପୀଡିତ ଥିବାରୁ ଦେବୀ ତାଙ୍କୁ ଏହି ଆଦେଶ ଦେଇ ଥିବା କୁହନ୍ତି ପ୍ରତୀକ ବାବା ଓ ତାଙ୍କ ଆନୁଗତ୍ୟ ମାନେ । ଖୋଲା ପଡିଆରେ ଶହ ଶହ ଲୋକଙ୍କ ଉପସ୍ଥିତରେ ଚାଲେ ମାଲିସ ଥେରାପି । ଚିକିତ୍ସା ବିଜ୍ଞାନରେ ଯାହା ସମ୍ଭବପର ହୋଇ ପାରୁ ନାହିଁ ତାକୁ ସମ୍ଭବ କରିବା ଦାବି କରନ୍ତି ବାବା ।

ବାବାଙ୍କ ମାଲିସ ଥେରାପି ଖାଲି ଏଥିରେ ସରିନାହିଁ । ଜଣେ ନାବାଳକଙ୍କୁ ମୁକ ବୋଲି କିଛି ଲୋକ ବାବାଙ୍କ ପାଖକୁ ନେଇଥିଲେ ଭଲ କରିବା ଲାଗି । ହେଲେ କଥା କହିବା ଲାଗି ବାବା ନାବାଳକ କାନରେ ଏମିତି ଚାପୁଡା ମାରିଛନ୍ତି ଯେ ମୁକ ପରେ ବଧିର ପାଲଟିଯାଇଛନ୍ତି ଉକ୍ତ ନାବାଳକ ଜଣକ । ଘଟଣା ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ କିଛି ସଚେତନ ନାଗରିକ । ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇ ମାଲକାଗିରି ସି.ଡି.ଏମ.ଓଙ୍କୁ ଘଟଣା ସ୍ଥଳକୁ ପଠାଇ ଥିଲେ । ସି.ଡି.ଏମ.ଓ ତଦନ୍ତ କରି ଏମ.ଭି – ୭୯ ଥାନା ରେ ଏତଲା ଦେଇଛନ୍ତି । ତଥାପି କିନ୍ତୁ ବାବାଙ୍କ ଦରବାର ବନ୍ଦ ହୋଇ ନାହିଁ ।