ରାଜଧାନୀ ବଜାରରେ ନକଲି ନୋଟ୍ : ଅନ୍ତର୍ଜାତୀୟ ନେଟୱର୍କ ସନ୍ଦେହ, ଚେର ଖୋଜୁଛି ପୋଲିସ

22

କନକ ବ୍ୟୁରୋ : ସାବଧାନ୍ ରାଜଧାନୀରେ ବୁଲୁଛି ୨ ହଜାର ଟଙ୍କିଆ ଜାଲ୍ ନୋଟ୍ । ଦେଖିବାକୁ ପୁରା ଅସଲି ନୋଟ୍ ଭଳି । ଏହାର ରଙ୍ଗ, ସାଇଜ୍ ସବୁ ଅସଲି ନୋଟ୍ ପରି । କେଉଁଠି ଟିକିଏ ବି ଜାଲ ନୋଟ୍ ଭଳି ଲାଗୁନି । ହେଲେ ଏହା ଏକ ଜାଲ ନୋଟ୍ । ରାଜଧାନୀରେ ଜାଲ ନୋଟ୍ କାରବାର କରୁଥିବା ଜଣେ ଯୁବକକୁ ଗିରଫ କରିବା ପରେ ସାମ୍ନାକୁ ଆସିଛି ସତ । ଯୁବକଙ୍କଠାରୁ ୭ଟି ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ ।

ଏହି ଯୁବକଙ୍କ ନାମ ହେଲା ମହମ୍ମଦ ସହିମ ଅଖତର । ଘର ଝାଡଖଣ୍ଡ ରାଧାନଗର ଥାନା କାଥୱାଡିରେ । ଦୀର୍ଘ ଦିନ ଧରି ରାଜଧାନୀରେ ଚଲାଇଛି ଜାଲ ନୋଟ୍ର କାରବାର । ଆଉ ଚେର ଲମ୍ବିଛି ବାଙ୍ଗଲାଦେଶକୁ । ଏପରିକି ଜାଲନାଟ୍ କାରବାରର ନେଟୱର୍କ ଦେଶ ବାହାରକୁ ଯାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।

ଏଠି ପ୍ରଶ୍ନ ଉଠୁଛି, ସହିମ ଭଳି ରାଜଧାନୀରେ କେତେ ଯୁବକ ଏଭଳି ଜାଲ ନୋଟ୍ କାରବାରରେ ଲିପ୍ତ ଅଛନ୍ତି ? ଭୁବନେଶ୍ୱରରେ ଆହୁରି କିଛି ଜାଲ୍ ନୋଟ୍ ରହିଛି କି ? ରାଜଧାନୀ ବାହାରେ ବି ଜାଲ ନୋଟ୍ କାରବାର ଚାଲିଛି କି ? ମାତ୍ର ୭ ଖଣ୍ଡ ନୋଟ୍ ଜବତ କରାଯାଇଥିବା ବେଳେ, ବଜାରରେ କେତେ ଜାଲ ନୋଟ୍ ଏବେବି ଘୁରି ବୁଲିଛି ଏସବୁକୁ ନେଇ ଉଠିଛି ପ୍ରଶ୍ନ ।