ଉପକୂଳ ଓଡିଶାର ଗାଁ ଗଣ୍ଡାରେ ଅନ୍ଧବିଶ୍ୱାସର ରାଜୁତି : ପୁରୀ ବ୍ରହ୍ମଗିରିରେ ପିତଳ ଥାଳି ଲଗାଇ ବିଷ ଝାଡୁଛି ଗୁଣିଆ

90

କନକ ବ୍ୟୁରୋ : ଯୁଗ ଯେତେ ଆଗେଇଲେ ବି ମଣିଷ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନି । ଏବେ ବି ମଣିଷର ବିଶ୍ୱାସ ଅନ୍ଧ ବିଶ୍ୱାସ ପାଖରେ ବନ୍ଧାପଡିଛି । ରୋଗ ଭଲ ପାଇଁ ଚେଙ୍କ ହେଉ ବା ସାପ କାମୁଡା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଝଡାଫୁଙ୍କା । ବିଜ୍ଞାନ ଅନେକ ଆଗେଇଛି, ରୋଗ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଛି ତଥାପି ଝଡାଫୁଙ୍କା ଉପରୁ ଲୋକଙ୍କ ଭରସା ତୁଟୁନି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥାଳି ଝାଡୁଛି ବିଷ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଲୋକଙ୍କ ପିଠିଲେ ଲାଗିଛି ପିତଳ ଥାଳି । ଚାଲିଛି ଝଡାଫୁଙ୍କା ।  ବିଶ୍ୱାସ ଥାଳି କୁଆଡେ ବିଷାକ୍ତ ସାପ କି କୁକୁର କାମୁଡା ରୋଗୀଙ୍କୁ ଭଲ କରିଦେବ । ବିଜ୍ଞାନ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ଭିତରେ ଡୁବି ରହିଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଧ୍ୱଜାପାଟଣା ଗାଁକୁ । ଗାଁର ହାଡିବନ୍ଧୁ ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ଝଡାଫୁଙ୍କା କାମ କରିଥାନ୍ତି । ବିନା ପାରିଶ୍ରମିକରେ ହାଡିବନ୍ଧୁ ଏବଂ ତାଙ୍କ ପୁଅ ଥାଳି ଲଗାଇ ବିଷ ଝାଡୁଥିବା କହୁଛନ୍ତି ।

ବିଷାକ୍ତ ଜନ୍ତୁଙ୍କ ଆକ୍ରମଣରେ ଆକ୍ରାନ୍ତଙ୍କ ପରିବାର ଲୋକ ଡାକିଲେ, ହାଡିବନ୍ଧୁ ଏକ ପିତଳ ଥାଳିକୁ ଫୁଙ୍କିବା ପରେ ସେହି ବ୍ୟକ୍ତଙ୍କ ଦେହରେ ଲଗାଇଥାନ୍ତି । ଆଉ ସେହି ଥାଳିଟି ଘଂଟାଏ ଦୁଇ ଘଂଟା ପରେ ସେହି ସ୍ଥାନରୁ ଖସିପଡେ । ଥାଳି ଖସି ପଡିଲେ ଶରୀରରୁ ବିଷ ଝଡିଯାଏ ବୋଲି ବିଶ୍ୱାସ କରନ୍ତି ଧ୍ୱଜାପାଟଣା ଗାଁର ବାସିନ୍ଦା । ଡାକ୍ତରୀ ଯୁଗରେ ରୋଗ ଭଲ କରିବା ପାଇଁ ଉନ୍ନତମାନ ଔଷଧ ବାହାରିଲାଣି ତଥାପି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ ।