ସ୍ୱାମୀ ଫେସବୁକରେ ଘୋଷଣା କରି ଆତ୍ମହତ୍ୟା କରିବା ପରେ ସ୍ତ୍ରୀ ଓ ପ୍ରେମିକକୁ ଅଟକ ରଖିଲା ପୁଲିସ ! ସ୍ତ୍ରୀଙ୍କ ପାଲଟା ଅଭିଯୋଗ, ସ୍ୱାମୀ ଦେଉଥିଲେ ନିର୍ଯାତନା

36

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଶେଷ କଥା କହି ସ୍ୱାମୀର ଅତ୍ମହତ୍ୟା ମାମଲାରେ ନୂଆ ମୋଡ । ଆଜି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ସ୍ତ୍ରୀ । ଓଲଟା ଶାଶୂ ଓ ନଣନ୍ଦଙ୍କ ସହ ମିଶି ସ୍ୱାମୀ ତାଙ୍କ ଉପରେ ନିର୍ଯାତନା ଦେଉଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେପଟେ ପୁଲିସ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ସ୍ତ୍ରୀ ଓ ତାଙ୍କ ପ୍ରେମିକ କୁହାଯାଉଥିବା ଯୁବକଙ୍କୁ ଅଟକ ରଖି ମାରାଥନ ଜେରା ଚଳାଇଛି । ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ମୃତ୍ୟୁ ପୂର୍ବରୁ ଶାନ୍ତନୁ ଯେଉଁ ବୟାନ ଦେଇଥିଲେ ତାହା ସତ ? ନା ତାଙ୍କ ସ୍ତ୍ରୀ ଆଣୁଥିବା ଅଭିଯୋଗ ସତ ? ତା’ର ରହସ୍ୟ ଖୋଜୁଛି ତଦନ୍ତକାରୀ ପୋଲିସ ।

ସ୍ୱାମୀର ମୃତ୍ୟୁ ପାଇଁ ସ୍ତ୍ରୀ ଓ ପୂର୍ବତନ ପ୍ରେମିକ ଅଟକ । ଫେସବୁକରେ ଶେଷକଥା କହି ଗାଁ ପାଖ ବରଗଛରେ ଝୁଲିଯାଇଥିବା ଶାନ୍ତନୁ ପାତ୍ର ମୃତ୍ୟୁ ଘଟଣାରେ ତନାଘନା ତଦନ୍ତ ଚଳାଇଛି ପୁଲିସ । ସତ୍ୟବାଦୀ ଓ ପୁରୀ ସଦର ଥାନା ପୁଲିସ ଶାନ୍ତନୁଙ୍କ ପତ୍ନୀଙ୍କୁ ଘରୁ ଉଠାଇନେଇଛନ୍ତି । ସେପଟେ ଜଗତସିଂହପୁର ପୁଲିସ ମଧ୍ୟ ମହିଳାଙ୍କ ପ୍ରେମିକ ବୋଲି କୁହାଯାଉଥିବା ଯୁବକଙ୍କୁ ଅଟକ ରଖିଛି । ନବବିବାହିତା ସ୍ତ୍ରୀର ମାନସିକ ନିର୍ଯାତନା ସୀମା ଟପିଯିବା ପରେ ଆତ୍ମହତ୍ୟା ଛଡା ଆଉକିଛି ବାଟ ନାହିଁ ବୋଲି ସେସିଆଲ ମିଡିଆରେ କହିବା ପରେ ନିଶା ବଟିକା ଖାଇବା ସହ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ଶାନ୍ତନୁ ।

ତେବେ ମୃତ୍ୟୁ ପୂର୍ବରୁ ଶାନ୍ତନୁ ଫେସବୁକରେ ଦେଇଥିବା ଏହ ବୟାନକୁ ମିଛ ବୋଲି କହିଛନ୍ତି ତାଙ୍କ ପତ୍ନୀ । ଏପରିକି ଶାଶୂ ଓ ନଣନ୍ଦଙ୍କ ସହ ମିଶି ଶାନ୍ତନୁ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଏପରିକି ନିଜେ ଶାନ୍ତନୁ ଫେକ ଆକାଉଂଟ ଖୋଲି ପତ୍ନୀଙ୍କ ଚରିତ୍ର ସଂହାର କରୁଥିଲେ ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ମାମଲା ଦେଇଥିଲେ ମଧ୍ୟ କେହି କିଛି ଶୁଣିନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶାନ୍ତନୁଙ୍କ ପତ୍ନୀ । ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଶାନ୍ତନୁଙ୍କ ପରିବାର ଓ ଗାଁ ଲୋକ । ପରକିୟା ପ୍ରୀତି ପାଇଁ ପତ୍ନୀ ଯେଉଁ ମାନସିକ ନିର୍ଯାତନା ଦେଉଥିଲେ ସେଥିପାଇଁ ଶାନ୍ତନୁ ଅତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।