ବଢ଼ୁଛି ଜାଲ ଆକାଉଣ୍ଟ ! ଚିନ୍ତାରେ ଫେସବୁକ ! ଦିନକୁ ୧୦ଲକ୍ଷ ଆକାଉଣ୍ଟକୁ କରାଯାଉଛି ବନ୍ଦ

51

କନକ ବ୍ୟୁରୋ: ଦିନକୁ ଦିନ ସୋସିଆଲ ମିଡିଆ ଫେସବୁକରେ ବଢ଼ୁଛି ବ୍ୟବହାରକାରୀଙ୍କ ସଂଖ୍ୟା । ଫେସବୁକ ଗ୍ରୁପ, ଫେସବୁକ ଲାଇଭ, ମେସେଞ୍ଜର ଭଳି ଅନେକ ଫିଚର ବ୍ୟବହାରକାରୀଙ୍କୁ ସୁବିଧା ଦେଉଛି । ହେଲେ ଏବେ ଏହି ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ଲକ୍ଷ୍ୟ କରୁଛି କମ୍ପାନୀ । ତେଣୁ ନଜରକୁ ଆସୁଥିବା ଅନେକ ଜାଲ ଆକାଉଣ୍ଟକୁ କମ୍ପାନୀ ପକ୍ଷରୁ ବନ୍ଦ କରାଯାଉଥିବା ସୂଚନା ଦେଇଛି ଫେସବୁକ ।

ଫେସବୁକ ପକ୍ଷରୁ କୁହାଯାଇଛି ଦୈନିକ ପ୍ରାୟ ୧୦ଲକ୍ଷ ଆକାଉଣ୍ଟକୁ ବନ୍ଦ କରାଯାଉଛି । ତଥାପି ସ୍ପାମ୍ ଓ ଠକେଇକୁ ରୋକାଯାଇପାରିନି । ଏପରିକି ଘୃଣା କରୁଥିବା ଅନେକ ଭାଷଣକୁ ବନ୍ଦ କରିବାରେ ସମର୍ଥ ହୋଇପାରିନି କମ୍ପାନୀ । କମ୍ପାନୀ ପକ୍ଷରୁ କୁହାଯାଇଛି, ବିଶ୍ୱସ୍ତରରେ ଫେସବୁକର ପ୍ରାୟ ଦୁଇ ବିଲିୟନରୁ ଅଧିକ ଆକାଉଣ୍ଟଧାରୀ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଏକାସାଙ୍ଗରେ ପ୍ରାୟ ଏକ ହଜାରରୁ ଅଧିକ ଫେକ ଆକାଉଣ୍ଟ ଖୋଲାଯାଇଥାଏ । ତେଣୁ ଏହାକୁ ରୋକିବା ଏତେ ସମ୍ଭବ ନୁହେଁ ।

ବୁଧବାର ସାନଫ୍ରାନସିକୋ ଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସିଏସଓ ଆଲେକ୍ସ ଷ୍ଟାମୋସ କହିଛନ୍ତି, ଦୈନିକ ଲକ୍ଷଲକ୍ଷ ଭାବବିନିମୟ ସମୟରେ କୌଣସି ଏଭଳି ନିୟମ ତିଆରି ହୋଇନାହିଁ ଏବଂ ବିନା କୌଣସି ସକରାତ୍ମକ ତଥ୍ୟରେ ଆକାଉଣ୍ଟକୁ ବନ୍ଦ କରାଯାଉଛି । ଉନ୍ନତ କଂପ୍ୟୁଟିଙ୍ଗ ସିଷ୍ଟମ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ସାଇବର ସିକ୍ୟୁରିଟି ସଂପର୍କିତ ଆଲୋଚନାରେ ଏନେଇ ବେଶ ଚର୍ଚ୍ଚା ହୋଇଥିଲା ।

କୌଣସି ସ୍ୱତନ୍ତ୍ର ନିୟମ ନ ରହିବା ଓ ଟେକନିକାଲ ଚ୍ୟାଲେଞ୍ଜ ଏସବୁ ପାଇଁ ଦାୟୀ । ତେବେ ଫେସବକୁ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବର୍ତ୍ତମାନର ଏହି ସିଷ୍ଟମ ତାଙ୍କୁ ଆଶ୍ଚର୍ଯ୍ୟ କରୁଥିବା ସେ କହିଛନ୍ତିି । ଏହା ଅନ୍ୟ ବ୍ୟବସାୟ ସଂସ୍ଥା ଭଳି ଫେସବୁକ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତିି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯଦିଓ ଏବେ ଦୋଷ ଦିଆଯାଉଛି, କିନ୍ତୁ ଏନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି ଓ ଖୁବଶୀଘ୍ର ଏହା ଏକ ଚୁଡାନ୍ତ ରୂପ ନେବ ।

ଦିନକୁ ପ୍ରାୟ ୧୦ ଲକ୍ଷ ଜାଲ ବ୍ୟବହାରକାରୀଙ୍କୁ ଫେସବୁକ ବାଦ ଦେବା ପରେ ବି ଫେକ ଆଇଡି ଓ ହରକତ କମିବାର ନାଁ ଧରୁନି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଅଶ୍ଳୀଳ ଫଟୋକୁ ଫେସବୁକରେ ଅପଲୋଡ କରି ଅନେକ ଜଣ ଗିରଫ ହୋଇଛନ୍ତି । ସେହିଭଳି ଅନଲାଇନ ଠକେଇ ପାଇଁ ମଧ୍ୟ ଫେସବୁକକୁ ବ୍ୟବହାର କରାଯାଉଥିବା ନଜୀର ରହିଛି । କିଛିଦିନ ତଳେ ଅଭିନେତା ବାବୁସାନଙ୍କ ନାଁରେ ଜାଲ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ କରିଥିବା ଯୁବକକୁ ପୁଲିସ ଗିରଫ କରିଥିଲା । ତେବେ ଆକାଉଣ୍ଟର ପ୍ରୋଫାଇଲରେ ନିର୍ଦ୍ଦିଷ୍ଟ ତଥ୍ୟ ଓ ପ୍ରକୃତ ଫଟୋ ନଥିଲେ ତାହାକୁ ଜାଲି ଆକାଉଣ୍ଟ ଭାବେ ହିସାବ କରିବା ପାଇଁ ଫେସବୁକ ପକ୍ଷରୁ ବାରମ୍ବାର କୁହାଯାଇଛି । ଏନେଇ ସଚେତନତା ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।