ଫେସବୁକରେ ମିଳୁଥିବା ଅଫର, ଶସ୍ତାରେ ମିଳିବ ଦାମୀ ପୋଷାକ ! ବଡ ଠକାମିର ପର୍ଦ୍ଦାଫାସ ।

48

କନକ ବ୍ୟୁରୋ : ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ସୋସିଆଲ ମିଡିଆରେ ଲୋକମାନେ ଦୂରଦୁରାନ୍ତରରେ ରହୁଥିବା ବନ୍ଧୁ ମାନଙ୍କ ସହ ଯୋଡି ହୋଇ ରହିବା ସହ ବିଭିନ୍ନ ଉପାୟରେ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି । ଫେସବୁବ ଆକାଉଣ୍ଟରେ ପେଜ ଖୋଲି ସେଥିରେ ଭିଡିଓ ଅପଲୋଡ କରି ଲୋକମାନେ ଖୁବ ଟଙ୍କା ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ ବିଜନେସ କରିବା ପାଇଁ ମଧ୍ୟ ଫେସବୁକରେ ଏକ ସୁବିଧା ଉପଲବ୍ଧ କରାଯାଇଛି, ଯେଉଁଥିରେ ଲୋକମାନେ ଡ୍ରେସ, ମୋବାଇଲ ଭଳି ବିଭିନ୍ନ ପ୍ରକାର ସାମଗ୍ରୀର କିଣାବିକା କରି ଲାଭବାନ ହୋଇପାରୁଛନ୍ତି । କିନ୍ତୁ କିଛି ଲୋକ ଏହାକୁ ଦୁରୁପଯୋଗ କରି ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି ।

ସେହିଭଳି ଏକ ଆଶ୍ଚର୍ଯ୍ୟକର ମାମଲା କମିଶନରେଟ ପୋଲିସଙ୍କ ହସ୍ତଗତ ହୋଇଛି । ସୋସିଆଲ ମିଡିଆରେ ବ୍ରାଣ୍ଡେଡ ଡ୍ରେସକୁ କମ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଠକିନେଇଛନ୍ତି ଜଣେ ଓଡିଆ ଯୁବକ । ପରେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ କମିଶନରେଟ ପୋଲିସ ଯୁବକକୁ ଗିରଫ କରି ଥାନାରେ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଜଣେ ଓଡିଆ ଯୁବକ ରଶ୍ମୀରଞ୍ଜନ ପାଣି ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲି ସେଥିରେ ବ୍ରାଣ୍ଡେଡ ଡ୍ରେସ କମ ଦାମରେ ବିକ୍ରି କରିବାର ବିଜ୍ଞାପନ ଦେଇଥିଲା । ସେହି ବିଜ୍ଞାପନକୁ ଦେଖି ଇନ୍ଦୋରର ଜଣେ ବ୍ୟକ୍ତି ଚିରାଙ୍ଗ ଜେନ ସପିଂ ପାଇଁ ଅଡର ବୁକ କରିଥିଲେ । ଅଡର ବୁକ କରିବା ପରେ ରଶ୍ମୀରଞ୍ଜନ ଏକ ଏସଏମଏସ ଜରିଆରେ ଚିରାଙ୍ଗଙ୍କୁ ୧୫ ହଜାର ଟଙ୍କା ଏକ ଆକାଉଣ୍ଟରେ ଡିପୋଜିଟ କରିବାକୁ କହିଥିଲେ । ଚିରାଙ୍ଗ ତାଙ୍କ କଥାରେ ରାଜି ହୋଇ ୧୫ ହଜାର ଟଙ୍କା ଆକାଉଣ୍ଟରେ ଡିପୋଜିଟ କରିଦେଇଥିଲେ ।

ଟଙ୍କା ଡିପୋଜିଟ କରିବାର କିଛି ଦିନ ବିତିଯାଇଥିଲେ ମଧ୍ୟ ଘରକୁ ଅଡର ଆସିନଥିଲା । ଅଡର ନଆସିବାରୁ ବ୍ୟସ୍ତ ହୋଇ ଚିରାଙ୍ଗ ରଶ୍ମୀକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ରଶ୍ମୀଙ୍କ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇପାରିନଥିଲା । ଏହାପରେ ଚିରାଙ୍ଗ ନିରାଶ ହୋଇ ଇମେଲ ଜରିଆରେ କମିସନରେଟ ପୋଲିସଙ୍କୁ ଏହି ସମ୍ପର୍କରେ ଅଭିଯୋଗ କରିଥିଲେ । ଚିରାଙ୍ଗଙ୍କ ଅଭିଯୋଗ କ୍ରମେ କମିସନରେଟ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ବହୁ ଖୋଳତାଡ କରିବା ପରେ ପୋଲିସ ରଶ୍ମୀଙ୍କ ଖବର ପାଇଥିଲା । ଏବେ ପୋଲିସ ରଶ୍ମୀକୁ ଗିରଫ କରି ଥାନାରେ ଅଟକ ରଖିବା ସହ ଏହି ମାମଲାର ଅଧିକ ତଦନ୍ତ ପାଇଁ ରଶ୍ମୀକୁ ପଚରା ଉଚରା ଜାରି ରଖିଛି ।