ରାଜମହଲ ଛକରେ ପୋଲିସ ଛାଉଣୀ : ଚେକିଂ ସମୟରେ ଉତ୍ତେଜନା, ମୃଦୁ ଲାଠିଚାଳନା କଲା ପୋଲିସ୍

2,025

କନକ ବ୍ୟୁରୋ : ରାଜମହଲ ଛକରେ ପୋଲିସ ଛାଉଣୀ । ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ସମୟରେ ଉତ୍ତେଜନା  ବଳବତ୍ତର ରହିଛି । ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ଅଢ଼େଇ ଘଂଟା ବିତିଥିବା ବେଳେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ହୋଇନି । ରାଜମହଲ ଛକରେ ଗମନାଗମନ ଠପ୍ ହୋଇଛି ।  ପୋଲିସ ଜୋରିମାନା ଆଦାୟ କରୁଛନ୍ତି, ହେଲେ ତାଙ୍କ ପାଖରେ କାଗଜପତ୍ର ନାହିଁ କହି ତାତିଛନ୍ତି ଲୋକେ । ପୋଲିସ ବିରୋଧରେ ଲୋକେ ନାରାବାଜି ଆରମ୍ଭ କରିଦେଇଛନ୍ତି ।  ପୋଲିସ ଉପରେ ଟେକାମାଡ଼ ଆରମ୍ଭ କରିଦେଇଛନ୍ତି । ଟେକାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କ କାନରୁ ରକ୍ତ ବୋହୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି । 

ଲୋକଙ୍କ କହିବା କଥା ହେଲା ପୋଲିସ ଗାଡ଼ିର ଚେକିଂ ହେଉ । ପୋଲିସ କର୍ମଚାରୀମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ।  ସରକାରୀ ଓ ବେସରକାରୀ ଗାଡି ମଧ୍ୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି । ଫାଇନ ଆଦାୟ କରାଯାଉ କିନ୍ତୁ ଲୋକଙ୍କୁ ହଇରାଣ କରାନଯାଉ । ଅତ୍ୟଧିକ ଫାଇନ୍ ଆଦାୟକୁ ନେଇ ଲୋକଙ୍କ ମନରେ କୁହୁଳୁଥିବା ରାଗ ଆଜି ଦେଖାଯାଇଛି । ଗାଡ଼ିମୋଟର ଚଳାଚଳ ବ୍ୟାହତ ହୋଇଛନ୍ତି ।  ପୋଲିସ ଆକ୍ରୋଶମୂଳକ ଭାବେ ଜୁଲମ କରୁଛି କହି ଅଭିଯୋଗ ହେଉଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ କମିସନର ପହଞ୍ଚିଛନ୍ତି । ଆଇନକୁ ହାତମୁଠାକୁ ନନେବାକୁ ଅନୁରୋଧ କରିଛନ୍ତି ।  ନୂଆ ଆଇନ ଆଳରେ ବିପୁଳ ପରିମାଣର ଫାଇନ୍‌ ଆଦାୟ କରାଯାଉଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।