ବଢିଲା ବିଜେଡି ବିଧାୟକଙ୍କ ପାଇଁ ଅଡୁଆ : ହାଇକୋର୍ଟଙ୍କ ନିର୍ଦେଶ ପରେ ପ୍ରତ୍ୟେକ୍ଷଦର୍ଶୀ କହିଲେ, ‘ମୁଁ ଦେଖିଛି ମର୍ଡର’

30

ଧାମନଗର : ମୁଁ ଦେଖିଛି ମର୍ଡର । ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଜେ ହତ୍ୟାକାଣ୍ଡ ଭିଆଉଥିବା ବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ନିଜ ଆଖିରେ ଏହା ଦେଖିଥିଲେ । ଆଜି ଏହି ଚାଂଚଲ୍ୟକର ଖୁଲାସା ହୋଇଛି । ୧୩ ବର୍ଷ ତଳେ ଭଦ୍ରକ ବାସୁଦେବପୁର ଅଂଚଳରେ ନିରଂଜନ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୧୩ ବର୍ଷ ପରେ ସାମ୍ନାକୁ ଆସିଛନ୍ତି ହତ୍ୟାକାଣ୍ଡ ଦେଖିଥିବା ଡ୍ରାଇଭର । କହିଛନ୍ତି, ମୁଁ ଦେଖିଛି ମର୍ଡର । କଣ ଘଟିଥିଲା ସେଦିନ ରାତିରେ । ନିଜ ଆଖିରେ ହତ୍ୟାକାଣ୍ଡ ଦେଖିଥିବା ଗାଡି ଡ୍ରାଇଭର କହିଛନ୍ତି ସେହି କାଳରାତିର କଳାକାହାଣୀ ।

୩ ନଭେମ୍ବର ୨୦୦୨। ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଘନିଷ୍ଠ ସହଯୋଗୀ ନିରଂଜନ ଜେନାଙ୍କୁ ରାସ୍ତାରୁ ହଟାଇବାକୁ ହୋଇଥିଲା ଯୋଜନା । ଯୋଜନାବଦ୍ଧ ଭାବେ ସୋର ଅନ୍ତର୍ଗତ ଅନ୍ତପୁର ଗାଁରୁ ତାଙ୍କୁ ଅପହରଣ କରାଯାଇଥିଲା । କୁହାଯାଉଛି ଏହି ଷଡଯନ୍ତ୍ରର ନେତୃତ୍ୱ ନେଇଥିଲେ ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ସାଙ୍ଗରେ ଥିଲେ ବିଧାୟକଙ୍କ ଆଉ ଜଣେ ସହଯୋଗୀ ନେପାଳ ଓ ଆଉ କିଛି ସାଥୀ । ପ୍ରାୟ ୨୦ ରୁ ୨୫ ଜଣ। ଯୋଜନାମୁତାବକ ନିରଂଜନଙ୍କୁ ନିଆଯାଇଥିଲା ବାସୁଦେବପୁରର ବାଲିପଡିଆ । ଏହାପରେ ଆରମ୍ଭ ହୋଇଯାଇଥିଲା ବର୍ବରଚିତ ଆକ୍ରମଣ । ହକିଷ୍ଟିକ ଓ ଲୁହା ରଡରେ ମାଡ ପରେ ମାଡ। ଜୀବନ ଚାଲିଯିବା ଯାଏଁ । ଡାକ୍ତରୀ ରିପୋର୍ଟ ଅନୁସାରେ ୧୧୭ ଟି ଚୋଟ ମାରିଥିଲେ ଦୁର୍ବୃତ । ପରେ ଗାଁମୁଣ୍ଡରେ ଫୋପାଡି ଫେରାର ହୋଇଯାଇଥିଲେ।

ହତ୍ୟାକାଣ୍ଡକୁ ବିତିଯାଇଛି ୧୩ ବର୍ଷ । ଆଉ ଏବେ ପୁଣି ଚର୍ଚାକୁ ଆସିଛି ଭଦ୍ରକର ବାହୁବଳୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନାଁ । ମରିବା ପୂର୍ବରୁ ନିରଂଜନ ଦେଇଥିଲେ ମୃତ୍ୟୁକାଳୀନ ଜମାନବନ୍ଦୀ । ଯେଉଁଥିରେ ସେ ପ୍ରଥମେ ନେଇଥିଲେ ମୁକ୍ତିକାନ୍ତଙ୍କ ନାଁ । ତେବେ ନାଁ ଥାଇ ବି ସଲାସୁତୁରା କରି ବିଧାୟକ ଖସି ଯାଇଥିଲେ ମାମଲା ଭିତରୁ। ଏବେ କୋର୍ଟ ମୁକ୍ତିକାନ୍ତଙ୍କୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଭାବେ ସଂପୃକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ।