ଚୀନ୍ ଉପରେ ରହିବ କଡ଼ା ନଜର ! ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଯୁଦ୍ଧ ଜାହାଜ, ବିମାନ, ଡ୍ରୋନ୍ ଏବଂ ସେନା ମୁତୟନ କରିବ ଭାରତ

100

କନକ ବ୍ୟୁରୋ : ଚୀନ ଉପରେ ନଜର ରଖିବାକୁ ଭାରତର ନୂଆ ରଣନୀତି । ଭାରତ ମହାସାଗରରେ ପ୍ରବେଶ କରୁଥିବା ଚୀନର ଜାହଜ ଓ ବୁଡାଜାହଜ ଉପରେ ନଜର ରଖିବାକୁ ଭାରତ ଯୋଜନା କରିଛି । ସେଇଥିପାଇଁ ଆଗାମୀ ୧୦ ବର୍ଷରେ ୫ହଜାର ୬୫୦ କୋଟି ଟଙ୍କା ବ୍ୟୟରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରତିରକ୍ଷା ଭିତ୍ତିଭୂମି ବିକାଶ ଯୋଜନାକୁ କେନ୍ଦ୍ର ସରକାର ମଂଜୁର କରିଛନ୍ତି । ସେଠାରେ ଯୁଦ୍ଧ ଜାହାଜ, ବିମାନ, ଡ୍ରୋନ୍ ମିଶାଇଲ ବ୍ୟାଟେରୀ, ନୌସେନା ଓ ପଦାତିକ ସେନା ମୁତୟନ କରିବ ଭାରତ । ୨୦୨୭ ସୁଦ୍ଧା ଆଣ୍ଡାମାନ ନିକୋବରରେ ପର୍ଯ୍ୟାୟ କ୍ରମେ ସଶସ୍ତ୍ର ସୁରକ୍ଷା ବାହିନୀର ଶକ୍ତି ବଢାଇବାକୁ ଯୋଜନାବଦ୍ଧ ଭାବେ କାମ କରାଯିବ ।

ସେନାରେ ଯବାନଙ୍କ ସଂଖ୍ୟା ଓ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୫ ହଜାର ୩୭୦ କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଛି । ପୋର୍ଟ ବ୍ଲେୟର ଓ ନିକୋବରରେ ଥିବା ଦୁଇ ବିମାନ ବନ୍ଦର ସହ ଶିବପୁର ଥିବା ନୌସେନାର ବିମାନବନ୍ଦରର ରନୱେକୁ ଲଢୁଆ ବିମାନ ଚଳାଚଳ ପାଇଁ ସଂପ୍ରସାରଣ କରାଯିବ । ସେହିପରି ଦକ୍ଷିଣରେ ଥିବା କ୍ୟାମ୍ପବେଲ ୱେକୁ ବଡ ବିମାନର ଉଡାଣ ଯୋଗ୍ୟ କରିବା ପାଇଁ ୧୦ ହଜାର ଫୁଟ ଯାଏଁ ଲମ୍ବ କରାଯିବାର ଯୋଜନା ରହିଛି । ଭିତ୍ତିଭୂମିର ବିକାଶ ଯୋଜନା ଆଧାରରେ କାମୋର୍ଟା ଦ୍ୱୀପରେ ମଧ୍ୟ ୧୦ ହଜାର ଫୁଟର ଏକ ରନୱେ ମଧ୍ୟ ନିର୍ମାଣ କରାଯିବ ।

ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରେ ସୁଖୋଇ-୩୦-ଏମକେଆଇ ଲଢୁଆ ଜେଟ୍, ପୋସିଡନ-୮୧ ବିମାନ, ହେରାନ ୧୧ ଭଳି ଡ୍ରୋନ ନିୟୋଜିତ କରାଯାଇଛି । ଆଗକୁ ଖୁବ ଶୀଘ୍ର ଡୋର୍ନିୟର ୨୨୮, ଏମଆଇ ୧୭ଭି ଫାଇଭ ହେଲିକପ୍ଟର ପଠାଯିବ ବୋଲି ସୂଚନା ରହିଛି । ଆଣ୍ଡାମାନ ନିକୋବରରେ ଏକ ମଜବୁତ କମାଣ୍ଡ ହିନ୍ଦ ମହାସାଗରେ ଚୀନର ଚାଲକୁ ଚେକମେଟ ଦେବା ପାଇଁ ଧୁରୀ ଭାବେ କାମ କରିବ । ଯାହା ଭାରତ ମହାସାଗର କ୍ଷେତ୍ର ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକ ହେଲେ ହସ୍ତକ୍ଷେପ କରିବାକୁ ସକ୍ଷମ ହେବ ଭାରତ ।