ଆଜିଠୁ ଜାତୀୟ ଚକ୍ଷୁଦାନ ଦିବସ ! ଚକ୍ଷୁଦାନ ସଂପର୍କରେ ସଚେତନା ମୂଳ ଲକ୍ଷ୍ୟ

106

କନକ ବ୍ୟୁରୋ : ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହେବ । ଲୋକମାନଙ୍କୁ ଚକ୍ଷୁଦାନ ସମ୍ପର୍କରେ ସଚେତନ କରାଇବା ଓ ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା ହେଉଛି ଏହି ପକ୍ଷର ମୁଖ୍ୟ ଉଦ୍ଦେଶ୍ୟ ।

ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୫୧ଲକ୍ଷ ସ୍ୱଚ୍ଛପଟଳ ନଷ୍ଟ ଜନିତ ଦୃଷ୍ଟିହୀନ ଅଛନ୍ତି । ସେଥିରୁ ରାଜ୍ୟରେ ପ୍ରାୟ ୨ଲକ୍ଷ ୬୩ ରହିଛନ୍ତି । ପ୍ରତିବର୍ଷ ଦେଶରେ ୨୦ହଜାର ଲୋକ ଏହିପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ପ୍ରତିବର୍ଷ ୩୫ହଜାର ଚକ୍ଷୁ ସଂଗୃହୀତ ହେଉଛି। ସେହିପରି ଓଡ଼ିଶାରେ ବର୍ଷକୁ ମାତ୍ର ୧୩ଶହ ଚକ୍ଷୁ ସଂଗ୍ରହ କରାଯାଉଛି । ଚକ୍ଷୁଦାନ ସଂପର୍କରେ ସଚେତନତା, ଜ୍ଞାନର ଅଭାବ, ଚକ୍ଷୁ ସଂଗ୍ରହ ଓ ଏହାର ବ୍ୟବହାରରେ ସୁବିଧାର ଅଭାବ ଓ ସାମାଜିକ, ଧାର୍ମିକ ଅନ୍ଧବିଶ୍ୱାସ ଏଥିରେ ବାଧକ ସାଜୁଛି । ତେଣୁ ପ୍ରତ୍ୟେକଙ୍କୁ ଚକ୍ଷୁର ଯତ୍ନ ସମ୍ପର୍କରେ ସଚେତନ କରିବା ସହିତ ମୃତ୍ୟୁପରେ ଚକ୍ଷୁଦାନ ପାଇଁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି । ଫଳରେ ଚକ୍ଷୁର ଆବଶ୍ୟକତା ଓ ସଂଗ୍ରହ ମଧ୍ୟରେ ଥିବା ତଫାତକୁ ଦୂର କରାଯାଇ ପାରିବ ।

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁବିଶେଷଜ୍ଞ ଡା.ସବ୍ୟସାଚୀ ପଟ୍ଟନାୟକଙ୍କ କହିବାନୁଯାୟୀ, ସ୍ୱଚ୍ଛପଟଳ ଚକ୍ଷୁର ସମ୍ମୁଖ ଭାଗରେ ଥିବା କଳାଡୋଳାକୁ କୁହାଯାଇଥାଏ । ଚକ୍ଷୁରେ ଆଘାତ, ଭିଟାମିନର ଅଭାବ, ଦୃଷ୍ଟିହୀନତା, ଜୀବାଣୁଜନିତ ସଂକ୍ରମଣ ଓ ଜନ୍ମଗତ ଦୋଷ କାରଣରୁ ସ୍ୱଚ୍ଛପଟଳ ନଷ୍ଟ ହୋଇଯାଏ। ସାଧାରଣ ଭାବେ ଛୋଟ ପିଲା ଓ ଯୁବକ ଅବସ୍ଥାରେ ଏହାର ଅଧିକ ଶିକାର ହୋଇଥାନ୍ତି । ଚକ୍ଷୁଦାନ ଓ ଚକ୍ଷୁରୋପଣରେ ଚକ୍ଷୁର ସ୍ୱଚ୍ଛପଟଳକୁ ପରିବର୍ତନ କରାଯାଇଥାଏ । ଫଳରେ ସ୍ୱଚ୍ଛପଟଳ ନଷ୍ଟଜନିତ ଦୃଷ୍ଟିହୀନ ବ୍ୟକ୍ତି ଏଥିରେ ଉପକୃତ ହୋଇଥାନ୍ତି। ଚକ୍ଷୁଦାନ ପାଇଁ ଯେ କୌଣସି ବ୍ୟକ୍ତି ସ୍ୱୀକୃତି ଦେଲେ ମୃତ୍ୟୁପରେ ଚକ୍ଷୁ ସଂଗ୍ରହ କରାଯାଇଥାଏ । ତେବେ କେତେକ ସଂକ୍ରାମକ ରୋଗରେ ମୃତ୍ୟୁ ହୋଇଥିଲେ ରୋଗୀଙ୍କଠାରୁ ସଂଗ୍ରହ ହୋଇ ନ ଥାଏ । ମାତ୍ର ୧୦/୧୫ ମିନିଟ୍ ମଧ୍ୟରେ ଚକ୍ଷୁ ସଂଗ୍ରହ କରାଯାଉଥିବାରୁ ମୃତ ବ୍ୟକ୍ତି ଦେହରେ କୌଣସି ପ୍ରକାର ଦାଗ ଲାଗି ନ ଥାଏ । ମୃତ ବ୍ୟକ୍ତିର ଚକ୍ଷୁ କିଣା ବା ବିକ୍ରି କରାଯାଉ ନ ଥିବା ଡା.ପଟ୍ଟନାୟକ କହିଛନ୍ତି ।