ରେଳବାଇ ଅବହେଳାର ଆଉ ଏକ ନମୁନା : ବାଟବଣା ହେଲା ଏକ୍ସପ୍ରେସ ଟ୍ରେନ୍

33

କନକ ବ୍ୟୁରୋ : ଭଗବାନ ଭରସାରେ ଟ୍ରେନ୍ ଯାତ୍ରୀ । ସାରା ଦେଶରେ କିଭଳି ଚାଲିଛି ଟ୍ରେନ୍ ପରିଚାଳନା ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାରେ । ପୁରୀରୁ ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ ବାଟବଣା, ହୋଇ ଭୁଲ ରାସ୍ତାରେ ଚାଲିଯାଇଥିଲା ପ୍ରାୟ ୨ କିଲୋମିଟର ରାସ୍ତା । ଅଧାବାଟରେ ଜଣାପଡ଼ିବା ପରେ ପୁଣି ଠିକ୍ ରାସ୍ତାକୁ ଫେରିଥିଲା ଟ୍ରେନ୍ । ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ରେଳବାଇର ଅବହେଳାର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି ।

ପୁରୀରୁ ମୁମ୍ବାଇ ବାହାରିଥିଲା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ । ପ୍ରାୟ ରାତି ୧୨ଟା ବେଳେ ମଛାପୁର ଷ୍ଟେସନ୍ ଅତିକ୍ରମ କରିବା ପରେ ବାଟବଣା ହୋଇଗଲା ଟ୍ରେନ୍ । ରୁଟ୍ ଅନୁସାରେ ମଛାପୁର ଷ୍ଟେସନରୁ ଭାୟା ରାଜା ଆଠଗଡ଼ ଦେଇ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗେଇ ଯିବା କଥା, କିନ୍ତୁ ଡାଇଭର୍ସନରେ ବଦଳିଗଲା ଟ୍ରେନର ଗତିପଥ । ରାଜାଆଠଗଡ଼ ବଦଳରେ, ରାଧାକିଶୋରପୁର ଷ୍ଟେସନ୍ ଆଗକୁ ମାଡ଼ି ଚାଲିଲା ଟ୍ରେନ୍ । ପ୍ରାୟ ୨କିଲୋମିଟର ଯିବା ପରେ ଜଣାପଡ଼ିଲା ଭୁଲ ରାସ୍ତାରେ ଆଗେଇ ଚାଲିଛି ଟ୍ରେନ୍ ।

ଆଉ ଏସବୁ ଭିତରେ ପ୍ରାୟ ଦୁଇ ଘଂଟା ବିଳମ୍ବ ହୋଇଥିଲା । ଇଂଜିନ ପରିବର୍ତନ କରି ପୁଣି ମଛାପୁର ଷ୍ଟେସନକୁ ଫେରିଥିଲା ଏବଂ ରାଜା ଆଠଗଡ଼ ଦେଇ ମୁମ୍ବାଇ ଅଭିମୁଖେ ଯାତ୍ର କରିଥିଲା ଟ୍ରେନ୍ । ଦୀର୍ଘ ସମୟ ଧରି ଆଶା ଆଶଙ୍କାରେ ଥିବା ଟ୍ରେନ୍ ଯାତ୍ରୀ ଶେଷରେ ସୁରକ୍ଷିତ ଯାତ୍ରା କରିଛନ୍ତି । ରାତ୍ରୀ ଡ୍ୟୁଟିରେ ଥିବା ଷ୍ଟେସନ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଷ୍ଟେସନ୍ କର୍ତୃପକ୍ଷ କିନ୍ତୁ ଘଟଣା ସଂପର୍କରେ କିଛି କରିବାକୁ ନାରାଜ୍ ।

କଳିଙ୍ଗ-ଉକ୍ରଳ ଏକ୍ସପ୍ରେସ ପରେ ଏବେ କୈଫିୟତ ଏକ୍ସପ୍ରେସ । ଗୋଟିଏ ସପ୍ତାହ ଭିତରେ ଦେଶରେ ଦୁଇ ଦୁଇଟି ଟ୍ରେନ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଆଉ ଉତ୍ତରପ୍ରଦେଶର ଖତୌଲିରେ ରେଳବାଇ କର୍ମଚାରୀଙ୍କ ଅବହେଳାରୁ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଛି । ଏଭଳି ସ୍ଥିତିରେ ଓଡ଼ିଶାରେ ଏକ୍ସପ୍ରେସ ଟ୍ରେନ୍ ବାଟବଣା ହେବା ଖବର, ନିଶ୍ଚିତ ଭାବରେ ରେଳବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।