ଆକାଶରୁ ଖସିଲା ରହସ୍ୟମୟ ବିସ୍ଫୋରକ ସାମଗ୍ରୀ : ଜଳିଲା ଛାତ, ଅଂଚଳରେ ଖେଳିଲା କୋକୁଆ ଭୟ

41

ଉତ୍ତରପ୍ରଦେଶର ମେରଠରେ ଆକାଶରେ ଯାଉଥିବା ବିମାନରୁ ଜଳନ୍ତା ବିସ୍ଫୋରକ ସାମଗ୍ରୀ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆସି ପଡ଼ିଥିଲା। ଏହି ବିସ୍ଫୋରକ ସାମଗ୍ରୀ ପଡ଼ିବା ଯୋଗୁଁ ଘର ଓ ଏକ କାର ଛାତ ଜଳି ପାଉଁଶ ହୋଇଯାଇଛି। ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ମେରଠର କିଠୋର ଥାନା ଅଞ୍ଚଳସ୍ଥ ମାଛରା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ଦିଲ୍ଲୀରୁ ଆସୁଥିବା ଏକ ବିମାନରୁ ନୀଳରଙ୍ଗର ନିଆଁ ଆସି ଚଟାଣରେ ପଡ଼ିଥିଲା। ଉକ୍ତ ବିମାନଟି ମାଛରା ଗ୍ରାମ ଉପର ଦେଇ ଯାଉଥିଲା। ବିମାନରୁ ପଡ଼ିଥିବା ଏହି ନିଆଁ ପିଣ୍ଡୁଳା ନରେଶ ତ୍ୟାଗୀଙ୍କ ଘର ଛାତ ଓ ପାଖରେ ଥିବା ଶେଖରଙ୍କ କାର ଉପରେ ପଡ଼ିଥିଲା। ତେବେ ଶେଖରଙ୍କ କାରରେ ଲାଗିଥିବା ନିଆଁକୁ ଲୋକମାନେ ପାଣି ପକାଇ ଲିଭାଇ ଦେଇଥିଲେ।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ଓ ଫରେନ୍ସିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ତେବେ ଘଟଣାସ୍ଥଳରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀରେ Warning Explosive ଲେଖା ହୋଇଥିବା ପୃଷ୍ଟି ହୋଇଛି।