ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ ! ନିଆଁରେ ଜଳିଗଲା ୫୦ରୁ ଅଧିକ ଘର

30

କନକ ବ୍ୟୁରୋ :  ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୫୦ରୁ ଅଧିକ ଘର । ଧୁଷୁରୀ ଥାନା ଅନ୍ତର୍ଗତ ଖଙ୍ଗିମାରା ଭାରତୀ ସାହିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ବେଳେ ଏଥିରେ ୩୦ ପରିବାର ବାସହରା ହୋଇଯାଇଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁର ଲୋକେ ଖାଇପିଇ ଶୋଇଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ରାତି ପ୍ରାୟ ୩ଟା ବେଳେ ଗାରେ ଥିବା ଜଣକ ଚାଳଘରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ କରାଳ ଆଁ କରି ଗାଁର ଘର ପରେ ଘରକୁ ଗିଳି ଯାଇଥିଲା । ଖବର ପାଇ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରିରୁ ୩ଟି ଦମକଳ ଆସି ସ୍ଥାନୀୟ ଲୋକଙ୍କ ସହାତାରେ ନିଆଁକୁ ଆୟତ କରିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ବହୁ କଷ୍ଟରେ ନିଆଁକୁ ଆୟତ କରାଯାଇଛି ।

ମାତ୍ର ସେତେବେଳକୁ ୩୦ଟି ପରିବାରର ସବୁକିଛି ଜଳି ଯାଇଥିଲା । ମୋଟ ୫୦ରୁ ଅଧିକ ଘର ସହିତ ଧାନଚାଉଳ, ଆସବାବପତ୍ର ଓ ଲୁଗାପଟା ଜଳି ପାଉଁଶ ହୋଇ ଯାଇଥିଲା । ଲୋକେ କେବଳ ସେମାନଙ୍କ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବଞ୍ଚାଇ ପାରି ନାହାଁନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଅଧା ଗାଁ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଲୋକମାନଙ୍କର ପରିସ୍ଥିତି ଦୟନୀୟ ହୋଇ ଉଠିଛି । ଲୋକେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଖବର ପାଇ ପ୍ରଶାସନ ଆଜି ସକାଳୁ ଗାଁରେ ପହଞ୍ଚି ଲୋକଙ୍କୁ ତତ୍କାଳ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରୁଛନ୍ତି ।