ନିଆଳିର ରାମଶିଆଳକୁ ଧରିବା ପାଇଁ ଶିମିଳିପାଳରୁ ଆସିଲା ସ୍ୱତନ୍ତ୍ର ଟିମ ! ୫୦ କ୍ୟାମେରା, ଜନ୍ତା ଓ ଜାଲ ବିଛାଇ ଜଙ୍ଗଲୀଜନ୍ତୁଙ୍କୁ ଧରିବାକୁ ପ୍ରୟାସ

31

କନକ ବ୍ୟୁରୋ : ନିଆଳିରେ ଧରାପଡୁନି ଅଜଣା ଜନ୍ତୁ । ନିଆଳି ଅଂଚଳରେ ମେଣ୍ଢା ଶିକାର କରୁଥିବା ଅଜଣା ଜନ୍ତୁକୁ ଠାବ କରିବା ଲାଗି ଶିମିଳିପାଳରୁ ପହଂଚିଛନ୍ତି ୧୮ଜଣିଆ ବିଶେଷଜ୍ଞ ଦଳ । ଜଙ୍ଗଲୀ ଜନ୍ତୁକୁ ଠାବ କରିବା ପାଇଁ ଉଡିଛି ଡ୍ରୋନ କ୍ୟାମେରା । ଏହି ଦଳ ଡ୍ରୋନ କ୍ୟାମେରା ଜରିଆରେ ପୁରା ଅଂଚଳର ଅନୁଧ୍ୟାନ କରିଛନ୍ତି ।

ପ୍ରଥମ ଦିନରେ କେଉଁ ଅଂଚଳରେ ଅଧିକ ଜଙ୍ଗଲ ରହିଛି, ସେନେଇ ଡ୍ରୋନ କ୍ୟାମେରା ଜରିଆରେ ତଥ୍ୟ ଏକାଠି କରାଯାଇଛି । ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି ବାରିପଦା ଡିଏଫଓ । ଏହି ଦଳରେ ୨ଜଣ ରେଞ୍ଜର, ୨ ଫେରଷ୍ଟର, ଟ୍ରାଙ୍କୁଲାଇଜର ଏକ୍ସପର୍ଟ, ଡ୍ରୋନ ଉଡାଇପାରୁଥିବା ବିଶେଷଜ୍ଞ ଓ ଜାଲ ପକାଇ ଜନ୍ତୁ ଧରିପାରୁଥିବା ସ୍ୱତନ୍ତ୍ର ଗାର୍ଡ ।

ନିଆଳିର ବିଭିନ୍ନ ସ୍ଥାନରେ ଗଛଗୁଡିକରେ ଖଞ୍ଜା ଯାଇଛି ୫୦ଅଟୋମେଟିକ କ୍ୟାମେରା । ଏହା ରାତିରେ ମଧ୍ୟ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ । କ୍ୟାମେରା ଜରିଆରେ ଜଙ୍ଗଲି ଜନ୍ତୁର ଗତିବିଧି ଲକ୍ଷ୍ୟ କରାଯିବ । ପରେ ତାକୁ କାବୁ କରିବା ପାଇଁ ସ୍ଥାନୀୟ ବନ କର୍ମଚାରୀଙ୍କ ସହାୟତାରେ ଆରମ୍ଭ ହେବ ଅପରେସନ୍ ।