ବିଜେଡ଼ିରୁ ବୈଜୟନ୍ତ ହେବେ କି ବହିଷ୍କୃତ ? ମୁଖିଆଙ୍କ ନିକଟରେ ଦାବି ଜଣାଇଲେ କେନ୍ଦ୍ରାପଡା ଜିଲ୍ଲା ସଭାପତି

36

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ଶୀଘ୍ର ଦଳରୁ ବହିଷ୍କାର କର । ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟି ଆଜି ଏଭଳି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ । ବୈଜୟନ୍ତଙ୍କୁ ନେଇ କେନ୍ଦ୍ରାପଡା ବିଜେଡି କର୍ମୀଙ୍କ ମନରେ ଅସନ୍ତୋଷ ଲାଗି ରହିଛି ତେଣୁ ତାଙ୍କୁ ଶୀଘ୍ର ଦଳରୁ ନବୀନ ବଏକଟ କରନ୍ତୁ ବୋଲି ଧ୍ରୁବ ସାହୁ କହିଛନ୍ତି । ପୂର୍ବରୁ ଗତ ଜାନୁଆରୀ ମାସ ୨୪ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କୁ ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା । କିନ୍ତୁ ଏହା କେନ୍ଦ୍ରାପଡା ଜିଲ୍ଲା ନେତା ମାନଙ୍କୁ ସନ୍ତୁଷ୍ଟ କରି ପାରିନାହିଁ । ତେଣୁ ବାଗୀ ବୈଜୟନ୍ତଙ୍କୁ ଦଳରୁ ବିଦା କରିବା ପାଇଁ ଦାବି କରିଛନ୍ତି ଖୋଦ ଜିଲ୍ଲା ସଭାପତି । ବୈଜୟନ୍ତ ଦଳୀୟ କର୍ମୀଙ୍କୁ ପ୍ରତାରିତ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଧ୍ରୁବ ସାହୁ । ଏହାକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ପାଇଁ ମୁଖିଆ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।

baijayantaବୈଜୟନ୍ତ ଓ ବିଜେଡି ଲଢେଇର ମହାଅଧ୍ୟାୟ ଆରମ୍ଭ ନିଶ୍ଚିତକୋଇଲି ପାଣିଟାଙ୍କି ଉଦଘାଟନ ଉତ୍ସବରୁ ଆରମ୍ଭ ହୋଇଥିଲା । ପାଣିଟାଙ୍କି ଉଦଘାଟନ ପରେ ବୈଜୟନ୍ତ ସିଧାସଳଖ ଅଙ୍ଗୁଳି ଉଠାଇଥିଲେ ତୃତୀୟ ମହଲା ଆଡକୁ । ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଦଳର କାର୍ଯ୍ୟଧାରା, ନୀତି, ନୈତିକତା ଆଉ ଦଳର ପରିଚାଳନାକୁ କାଠଗଢାରେ ଠିଆ କରାଇଥିଲେ ଏହି ସାଂସଦ । ଆଉ ଏହାପରେ ବୈଜୟନ୍ତଙ୍କ ବିରୋଧରେ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନର ପର୍ବ । ନବୀନଙ୍କ ଗୁଡ ବୁକରୁ ସିଧା ହେଟ ଲିଷ୍ଟରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ସାଂସଦ । ଏହାପରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବୈଜୟନ୍ତଙ୍କ ନାଁରେ ମାଳ ମାଳ ଅଭିଯୋଗ ପହଞ୍ଚିଥିଲା ବିଜେଡ଼ି ସୁପ୍ରିମୋଙ୍କ ନିକଟରେ । ଆଉ ଏହି ମଉକାରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରି ନବୀନ ମାରିଥିଲେ ମାଷ୍ଟରଷ୍ଟ୍ରୋକ ।

bjd vs baijayantaଏହାପରେ ମଧ୍ୟ ବିଜେଡି ଅଟକିନଥିଲା । ବୈଜୟନ୍ତ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ଆଣିଥିଲା ବିଜେଡ଼ି । ଇମ୍ଫାରୁ ବାର୍ଷିକ ଦରମା ନେଉଥିଲେ ମଧ୍ୟ ବୈଜୟନ୍ତ ଏହା ନିର୍ବାଚନ ସତ୍ୟପାଠରେ ଦର୍ଶାଇ ନଥିବା କହିଥିଲା ବିଜେଡି । ଯାହା ପୁଣିଥରେ ବୈଜୟନ୍ତ ଓ ବିଜେଡି ବିବାଦକୁ ତାଜା କରିଦେଇଥିଲା । ଏସବୁ ଭିତରେ ବୈଜୟନ୍ତଙ୍କୁ ବହିଷ୍କାର କରିବା ପାଇଁ ନିଜ ସଂସଦୀୟ କ୍ଷେତ୍ରରୁ ଦାବି ଉଠିଛି । ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ସୁପ୍ରିମୋ ବୈଜୟନ୍ତଙ୍କୁ ନେଇ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା । ତେବେ ଏନେଇ ବୈଜୟନ୍ତ କିମ୍ବା ତାଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟା ମିଳିପାରିନାହିଁ ।