ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ । କନ୍ଧମାଳରେ ପୁଣି ଶୁଭିପାରେ ଶଙ୍ଖ ନାଦ, ଜାଣନ୍ତୁ ଏହା ଅଧିନରେ ଥିବା ୭ଟି ବିଧାନସଭାରେ କ’ଣ ରହିଛି ଅଙ୍କ?

222

କନକ ବ୍ୟୁରୋ: ୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ କନ୍ଧମାଳ ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି । ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତି ଅଚ୍ୟୁତ ସାମନ୍ତ ବୋଲି ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି ।

ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୨୦୧୯ ମହାଯୁଦ୍ଧର ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଆଗୁଆ ରହିପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ୨ଟି ଆସନ ଆସିପାରେ ବୋଲି ରିାପୋର୍ଟ କହୁଛି । ସେହିଭଳି ଅନ୍ୟ ଦୁଇଟି ବିଧାନସଭା ସିଟରେ କଡ଼ା ମୁକାବିଲା ହୋଇପାରେ ବୋଲି ଏଗଜିଟ୍ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ଚଳିତ ନିର୍ବାଚନରେ ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହୋଇପାରେ । ତେବେ ଗତ ନିର୍ବାଚନରେ ଏଠାରେ କ୍ଷମତା ଭାର ସମ୍ଭାଳିଥିବା ବିଜେଡି ପାଇଁ ଏଥର ବିଜୟ ଏତେ ସହଜ ହେବନାହିଁ ବୋଲି ମତଦାତାଙ୍କ ମୁଡ କହୁଛି ।

ଅନ୍ୟପଟେ ଜି. ଉଦୟଗିରି ବିଧାନସଭା ଆସନରେ ଏଥର କଂଗ୍ରେସକୁ ଚିତ୍ କରି ବିଜେପି ପଦ୍ମ ଫୁଟାଇ ଆସନକୁ ଦଖଲ କରିପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି । ଆଉ ଉଭୟ କଂଗ୍ରେସ-ବିଜେଡିକୁ ମାତ୍ ଦେଇ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇପାରେ ବିଜେପି ବୋଲି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ କହୁଛି ।

ସେପଟେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଫୁଲବାଣୀ ବିଧାନସଭା ଆସନରେ ବିଜେଡି ଗଡ଼ ପୁର୍ନବାର ଅଭେଦ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଅପରପକ୍ଷେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସୁଥିବା ବିଜେଡି ବିଜୟ ପାଇଁ ଏଥର ସହଜ ହେବ ନାହିଁ । କାରଣ ଏଥର ଏଠାରେ କ୍ଲୋଜ ଫାଇଟ୍ ହୋଇପାରେ ବୋଲି ବୁଥ୍ ଫେରନ୍ତା ମତ ବା ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ସେହିଭଳି ବୌଦ୍ଧ ବିଧାନସଭା କ୍ଷେତ୍ରରେ ବାଜିମାତ୍ କରିପାରେ ବିଜେପି । ୧୯ ଯୁଦ୍ଧରେ ଜିତିବା ପାଇଁ ଯେଉଁ ରଣନୀତି କରିଥିଲା ବିଜେପି ସେଥିରେ ବିଜେପି ସକ୍ଷମ ହୋଇପାରେ ରିପୋର୍ଟ କହୁଛି । ଆଉ ବିଜେଡିର ହ୍ୟାଟ୍ରିକ୍ ବିଜୟ ସ୍ୱପ୍ନକୁ ଭାଙ୍ଗି ଧୂଳିସାତ୍ କରିପାରେ ବିଜେପି ବୋଲି ଆକଳନ କରାଯାଉଛି ।

ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୧୯ ମହାଯୁଦ୍ଧର ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏଥର ପୁଣି ବିଜେଡି ବିଜୟ ବାନା ଉଡ଼ାଇପାରେ ବୋଲି ରିପୋର୍ଟ କହୁଛି ।

ଅନ୍ୟପଟେ ଭଞ୍ଜନଗର ବିଧାନସଭା ଆସନରେ ଏଥର ଲଗାତାର ଚତୁର୍ଥ ଥର ପାଇଁ ବିଜେଡ଼ି ବିଜୟ ବାନା ଉଡ଼ାଇପାରେ ବୋଲି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।