ପୁଣି ମୋଦି ବନିବେ ପ୍ରଧାନମନ୍ତ୍ରୀ ? ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପିକୁ ମିଳିଲା ବହୁମତ ।

239

କନକ ବ୍ୟୁରୋ : ସମସ୍ତଙ୍କ ଉତ୍କଣ୍ଠା ଉପରୁ ପରଦା ହଟାଇ, କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରି, ଏବଂ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର, ସବୁଠାରୁ ବଡ ଯୁଦ୍ଧରେ ବିଜୟୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଦେଶର ଅନେକ ଟିଭି ଚ୍ୟାନେଲ ଓ ସର୍ଭେକ୍ଷଣ ସଂସ୍ଥା ଯେଉଁ ଏକଜିଟ୍ ପୋଲ୍ କରିଛନ୍ତି, ତାହା ସ୍ପଷ୍ଟ ଦର୍ଶାଉଛି ଯେ, ପୁଣିଥରେ ବାଜିମାତ୍ କରିବାକୁ ଯାଉଛି ମୋଦି ମ୍ୟାଜିକ୍ । ମାତ୍ର ୫ ମାସ ପୂର୍ବରୁ ତିନିଟି ବଡ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଠାରୁ ପରାଜିତ ହୋଇଥିବା ବିଜେପି, ପୁଣିଥରେ ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇପାରିଛି ।

ପୁଲୱାମା ଆକ୍ରମଣ ଆଉ ଏହା ପରେ ପରେ ବାଲାକୋଟରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ସତେ ଯେମିତି, ମୋଦିଙ୍କ ଭାଗ୍ୟ ବଦଳାଇଦେଲା । ମାତ୍ର ୫ ମାସ ଆଗରୁ ରୋଜଗାର, ବିକାଶ, ବିମୁଦ୍ରାକରଣ ଓ ଜିଏସଟି ଭଳି ପ୍ରସଙ୍ଗରେ ପଛରେ ପଡିଯାଇଥିଲା ବିଜେପି । ଏପରିକି ତାଙ୍କର ଗଡ ରହିଥିବା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସରକାର ମଧ୍ୟ ବଂଚାଇପାରିନଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ସର୍ଜିକାଲ ଷ୍ଟ୍ରାଇକ୍, ସାରାଦେଶରେ ମୋଦିଙ୍କ ଏକ ନୂଆ ଛବି ସୃଷ୍ଟି କଲା । ୨୬-୧୧ ଆକ୍ରମଣ ପରେ କଂଗ୍ରେସ ସରକାର ସମୟରେ ଚୁପ୍ ରହିିଥିବା ଭାରତ, ମୋଦିଙ୍କ ସମୟରେ କିନ୍ତୁ ବୀର ଆଚରଣ ଦେଖାଇଲା । ବୋଧହୁଏ, ଏହା ଦେଶବାସୀଙ୍କ ମୁଡରେ ଏକ ବଡ ପରିବର୍ତନ ଆଣିଲା ।

ଯଦି ଏକଜିଟ୍ ପୋଲର ସର୍ଭେ ସତ ହୁଏ, ତେବେ ପ୍ରଥମ ଥର ପାଇଁ ଭାରତ ଇତିହାସରେ ଏକ ଅଣକଂଗ୍ରେସ ଦଳ ୫ ବର୍ଷ ପୂରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରିବ । ଗୁଜୁରାଟରେ ଲଗାତର ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୪ ମସିହାରେ ପ୍ରଥମଥର ପାଇଁ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା । ଏବଂ ଦଳର ଆଶା ଆକାଂକ୍ଷାକୁ ପୁରଣ କରି ବିଜେପିକୁ ସେହି ସ୍ତରକୁ ନେବାକୁ ସକ୍ଷମ ହୋଇଥିଲେ ମୋଦି । ଆଉ, ପୁଣିଥରେ ଭାରତ ଭଳି ଏକ ଜଟିଳ ଗଣତନ୍ତ୍ରର ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।