ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ନାଗେଶ୍ୱର ରାଓ ନେଇ ପାରିବେନି ନୀତିଗତ ନିଷ୍ପତି, କେବଳ କାମଚଳା ସିବିଆଇ ନିର୍ଦ୍ଦେଶକ ଭାବେ ରହିବେ

37

କନକ ବ୍ୟୁରୋ: ସିବିଆଇ ବିବାଦ ନେଇ ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୨ ସପ୍ତାହ ଭିତରେ ମାମଲାର ଯାଂଚ ପାଇଁ ସିଭିସିକୁ ଦେଇଛନ୍ତି ନିର୍ଦ୍ଦେଶ । ବହୁଚର୍ଚ୍ଚିତ ସିବିଆଇ ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିବା ବେଳେ ଏହାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଉ ୨ ସପ୍ତାହ ମଧ୍ୟରେ ଯାଂଚ ଶେଷ କରିବାକୁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ତେବେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏହି ଯାଂଚ ହେବ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ. ପଟ୍ଟନାୟକଙ୍କ ତତ୍ୱାବଧାନରେ ସିବିଆଇ ବିବାଦର ଯାଂଚ କରିବ ସିଭିସି ।

ତେବେ ମାମଲାର ଯାଂଚ ପାଇଁ ସିଭିସି ଓକିଲ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ୩ ସପ୍ତାହ ସମୟ ମାଗିଥିଲେ । କିନ୍ତୁ ୧୪ ଦିନ ମଧ୍ୟରେ ମାମଲାର ଯାଂଚ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତି ଶୁଣାଣି ଦିପାବଳି ପରେ ଅର୍ଥାତ୍ ନଭେମ୍ବର ୧୨ରେ ହେବ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ନାଗେଶ୍ୱର ରାଓ କେବଳ କାମଚଳା ସିବିଆଇ ନିର୍ଦ୍ଦେଶକ ଭାବେ ରହିବେ । ସେ କୌଣସି ନୀତିଗତ ନିଷ୍ପତି ନେଇପାରିବେ ନାହିଁ, କେବଳ ରୁଟିନ୍ କାମ ଦେଖିବେ ବୋଲି ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ରାତି ଅଧିଆ ଛୁଟି ଦେବାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଲୋକ ବର୍ମା । ମଙ୍ଗଳବାର ରାତି ଅଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟି ଦେବା ସହ ତାଙ୍କ ଠାରୁ ସମସ୍ତ କ୍ଷମତା କାଢି ନିଆଯାଇଛି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।