ରଥଯାତ୍ରା ପାଇଁ ଛାଡ ହେବନି ଟୋଲଗେଟ୍ ଫି ! ସ୍ପଷ୍ଟ କଲା ଏନଏଚଏଆଇ, ପୂର୍ବରୁ ଟୋଲ୍ ଫି ଛାଡ ପାଇଁ ଘୋଷଣା କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

109

କନକ ବ୍ୟୁରୋ : ରଥଯାତ୍ରା ସମୟରେ ଛାଡ ହେବନାହିଁ ଟୋଲଗେଟ୍ ଫି । ଏନେଇ ଆଜି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ଟୋଲ୍ ଗେଟ୍ ଛାଡ ହେବା ନେଇ ଘୋଷଣା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ବିନା ଆଲୋଚନାରେ ଶ୍ରୀମନ୍ଦିର ପ୍ରଶାସନ ଏକାକି ଏଭଳି ନିଷ୍ପତ୍ତି ନେଇଥିବା ଏନଏଚଏଆଇ ପକ୍ଷରୁ କୁହାଯାଇଛି । ତେବେ ପିପିଲି ଟୋଲ୍ ଗେଟରେ ରଥଯାତ୍ରା ସମୟରେ ମଧ୍ୟ ଯାତ୍ରୀଙ୍କୁ ଟୋଲ୍ ଫି ଦେବା ପାଇଁ ପଡିବ ।

ଏନଏଚଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଟୋଲ୍ ଫି ଛାଡ କରିବା ନେଇ ସେଭଳି କୌଣସି ନିୟମ ନାହିଁ । ପୂର୍ବରୁ ମଧ୍ୟ ବର୍ଷ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ପୂର୍ବରୁ କେବେ ଏଭଳି ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟପଟେ ପିପିଲି ଟୋଲଗେଟ୍ ଏକ ଘରୋଇ ସଂସ୍ଥା ଦ୍ୱାରା ଟେଣ୍ଡର ମାଧ୍ୟମରେ ପରିଚାଳିତ ହେଉଛି । ଏବଂ ସେହି ସଂସ୍ଥାକୁ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଟିକସ ଦେବାକୁ ପଡିଥାଏ । ତେଣୁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତି ପୁରା ବ୍ୟବସ୍ଥାକୁ ବିଗାଡିଦେବ । କାରଣ ଏହି ରିହାତି ଯୋଗୁଁ ଏନଏଚଆଇକୁ ଠିକା କମ୍ପାନୀ ତାର ପ୍ରାପ୍ୟ ଦେବା ନେଇ ଅସୁବିଧା ସୃଷ୍ଟି ହେବ । ତେଣୁ ଏଭଳି ପରିସ୍ଥିତିରେ ରିହାତି ବ୍ୟବସ୍ଥା ପରିଚାଳିତ ହେବା ଅସମ୍ଭବ । ଆଉ ଏହି ସବୁ କାରଣକୁ ଦୃଷ୍ଟିରେ ରଖି ଟୋଲ୍ ଫି ଛାଡ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।