ଅପରେସନ୍ ‘ପ୍ରହାର’ ! ଅଭେଦ୍ୟ ଲାଲଗଡ଼ରେ ସବୁଠୁ ବଡ ମାଓ ବିରୋଧୀ ଅଭିଯାନ

56

କନକ ବ୍ୟୁରୋ : ମାଓବାଦୀଙ୍କ ଅଭେଦ୍ୟ ଗଡ଼ରେ ପଶିଛନ୍ତି ଯବାନ । ହୋଇଛି ସବୁଠୁ ବଡ ମାଓ ବିରୋଧୀ ଅପରେସନ୍ । ମାଲକାନଗିରି ସୀମାରେ ଆରମ୍ଭ ହୋଇଛି ଅପରେସନ ‘ପ୍ରହାର’ । ଯେଉଁଥିରେ ସାମିଲ ହୋଇଛନ୍ତି ୧୫ଶହ ଯବାନ । ଦୀର୍ଘ ୫୬ ଘଂଟା ଅପରେସନ । ଏହାର କିଛି ଲାଇଭ୍ ଚିତ୍ର କନକ ନ୍ୟୁଜର ହସ୍ତଗତ ହୋଇଛି ।

ଭିଜୁଆଲ୍ ହିଁ ବୟାନ୍ କରିଛି ମାଓ ବିରୋଧୀରେ କେତେବଡ ଅପରେସନ୍ ହୋଇଛି । ଲାଲ୍ ବାହିନୀର ଅଭେଦ୍ୟଗଡ଼କୁ ଭେଦ କରି ଯବାନ କରିଛନ୍ତି ସିଧାସଳଖ ପ୍ରହାର । ଛତିଶଗଡ଼ ସୁକମା ଜିଲ୍ଲାର ତୋଣ୍ଡାମାର୍କା ଜଙ୍ଗଲ, ଯେଉଁଠି ପୁଲିସ୍ କିମ୍ବା ଯବାନ୍ ପଶିପାରୁନଥିଲେ, ସେଠି ହୋଇଛି ମିଳିତ ଅପରେସନ୍ । ଏଥିରେ ସାମିଲ ଅଛନ୍ତି ଛତିଶଗଡ ରେଜିଡେନ୍ଟ, ଏସଟିଏଫ ଏବଂ କୋବ୍ରା ବାଟାଲିୟନ । ଏକାଥରକେ ୧୫ଶହ ଯବାନ ତୋଣ୍ଡାମାର୍କା ଜଙ୍ଗଲଙ୍କୁ ଘେରିଯାଇଛନ୍ତି ।

ଦୀର୍ଘ ୫୬ ଘଂଟାର ଅପରେସନ୍ । ପ୍ରାୟ ୬୦୦୦ ରାଉଣ୍ଡରୁ ଅଧିକ ଗୁଳିବର୍ଷା । ଏହି ଅପରେସନ୍ ‘ପ୍ରହାର’ର ମୋବାଇଲ ଭିଜୁଆଲକୁ ଜାରି କରିଛନ୍ତି ୨୦୧ କୋବ୍ରା ବାଟାଲିୟନର ଯବାନ । ଏହି ଅପରେସନ ‘ପ୍ରହାର’ରେ ୩ଜଣ ଏସଟିଏଫ ଯବାନ ସହୀଦ ହୋଇ ଥିବା ବେଳେ ୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଉ ଏହି ଅପରେସନରେ ବାୟୁ ସେନାର ସ୍ୱତନ୍ତ୍ର ଏମ.ଆଇ-୧୭ ହେଲିକପ୍ଟର ଗୁଳିବର୍ଷା ଭିତରେ ଅବତରଣ କରି ଆହତ ଯବାନଙ୍କୁ ଉଦ୍ଧାର କରିଥିଲା ।

ଯବାନ ମାନଙ୍କ କଭର ଫାଏର ଯୋଗୁଁ ହେଲିକପଟରଟି ସହଜରେ ଅପରେସନ୍ କ୍ଷେତ୍ରରେ ଅବତରଣ କରିଥିଲା । କନକ ନ୍ୟୁଜ୍ ହାତରେ ଲାଗିଥିବା ଏକ୍ସକ୍ଲୁସିଭ୍ ଭିଜୁଆଲରେ ହେଲିକପ୍ଟର ଚିତ୍ର କଏଦ ହୋଇନଥିଲେ ବି ଉଦ୍ଧାର ପରର ସ୍ପଷ୍ଟ ଚିତ୍ର ହସ୍ତଗତ ହୋଇଛି ।