ଆରଟିଆଇ ଖୋଲିଲା ଗୁମର, ପଦାରେ ପଡିଲା ଶାସକ ଦଳର ମନ୍ତ୍ରୀ ପୁଅଙ୍କ ଅସଲ ଚେହେରା !

178

କନକ ବ୍ୟୁରୋ : ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ କଳା କାରନାମାର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିବାରେ ଲାଗିଛି । ଖାଲି ଗୁଣ୍ଡା ଗର୍ଦ୍ଦି ନୁହେଁ ବରଂ ଅନେକ ଦୁର୍ନୀତି ଓ ଚଂଚକତାର ପୁରୋଧା ଥିଲେ ଦେବାଶିଷ । ଯାହା ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହେଉଛି । ୨୦୧୨ରୁ ୨୦୧୭ ଯାଏଁ ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଥିବା ଦେବାଶିଷ ପାତ୍ର, କିଭଳି ନିଜର କ୍ଷମତାର ଅପବ୍ୟହାର କରିବା ସହ ଆଇନ ଆଖିରେ ଧୁଳି ଦେଇ ଏକାଧିକ କାଜୁ ବାଡିକୁ ନିଜ ଅକ୍ତିଆରକୁ ନେଇଥିଲେ । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ ।

badri patra sonଜଣେ ନିର୍ବାଚିତ ଜନ ପ୍ରତିନିଧି କେମିତି ଆଇନର ଆଖିରେ ଧୂଳି ଦେଇ ଖୁଲମଖୁଲା ବେଆଇନ୍ କାର୍ଯ୍ୟରେ ଖୋଦ୍ ଲିପ୍ତ ଥିଲେ ଆରଟିଆଇ ତଥ୍ୟରୁ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଆଉ ସେହିଭଳି ଜଣେ ଜନ ପ୍ରତିନିଧି ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଯିଏ ସେହି ସମୟରେ ବ୍ଲକ୍ ଅଧ୍ୟକ୍ଷ ପଦରେ ଥାଇ ସୁଦ୍ଧା ଏକାଧିକ କାଜୁ ବାଡ଼ିର ଟେଣ୍ଡର ନେଇଥିଲେ । ତାହା ପୁଣି ସିଙ୍ଗିଲ ଟେଣ୍ଡର ଜରିଆରେ ।

ପଂଚାୟତି ରାଜ୍ ଆଇନ୍ ତଥା ଅଫିସ ଅପ୍ ପ୍ରଫିଟ୍ ଆକ୍ଟର ଉଲଂଘନ କରି ଏକାଧିକ କାଜୁ ବାଡିର ଟେଣ୍ଡର ନେଇଥିଲେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ପାତ୍ର । ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମରୁ ଆରଟିଆଇ ଜରିଆରେ ମିଳିଥିବା ତଥ୍ୟ ଏହା ସ୍ପଷ୍ଟ କରୁଛି । ଦେବାଶିଷ ପାତ୍ର ବ୍ଲକ୍ ଚେୟାରମ୍ୟାନ୍ ଥିବା ବେଳେ
-୨୦୧୪-୧୫ ଆର୍ଥିକ ବର୍ଷରେ ଗଡ଼ବାନ୍ଧବଗଡ଼, ମଦନପୁର କାଜୁ ବାଡ଼ିକୁ ୫ଲକ୍ଷ ୩୮ ହଜାର ୮ଶହ ଟଙ୍କାରେ ବର୍ଷିକିଆ ଠିକାରେ ନେଇଥିଲେ ।
-୨୦୧୫-୧୬ ଆର୍ଥିକ ବର୍ଷରେ ସେହି ମଦନପୁର କାଜୁ ବାଡ଼ିକୁ ୪ଲକ୍ଷ ୪୧ ହଜାର ଟଙ୍କାରେ ଠିକାରେ ନେଇଥିଲେ ।

ଏତିକିରେ କଥା ସରିନଥିଲା ବରଂ ସେହି ସମାନ ଢ଼ଙ୍ଗରେ ଏକାଧିକ କାଜୁ ବାଡିକୁ ନିଜ କବଜାକୁ ଆଣି ଥିଲେ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ।
-୨୦୧୪-୧୫ ଆର୍ଥିକ ବର୍ଷରେ ପୁରୁଣା ମେଘନାଦପୋଇ, କାଜୁ ବାଡ଼ିକୁ ୪ଲକ୍ଷ ୪୦ ହଜାର ୮ଶହ ଟଙ୍କାରେ ଟେଣ୍ଡରରେ ନେଇଥିଲେ
-୨୦୧୫-୧୬ ଆର୍ଥିକ ବର୍ଷରେ ସେଇ ପୁରୁଣା ମେଘନାଦପୋଇ, କାଜୁ ବାଡ଼ିକୁ ୩ଲକ୍ଷ ୩୦ ହଜାର ଟଙ୍କାରେ ଟେଣ୍ଡରରେ ନେଇଥିଲେ ।

ଆଇନର ଆଖିରେ ଆଙ୍ଗୁଠି ଗେଞ୍ଜି କେମିତି ବେଆଇନ କାର୍ଯ୍ୟକୁ ବେଶ ଚତୁରତା ଓ ଚଂଚକତାର ସହ ଚୁଡାନ୍ତ ରୂପ ଦେଉଥିଲେ ଦେବାଶିଷ ପାତ୍ର, ଆରଟିଆଇରୁ ମିଳିଥିବା ଏହି ତଥ୍ୟରୁ ସ୍ପଷ୍ଟ ବାରି ହେଉଛି । ନୂଆ ମେଘନାଦ ପୋଇ ପ୍ଲାଂଟଟେସନରେ ବି ନିଜର ଅଧିପତ୍ୟ ବିସ୍ତାର କରିଥିଲେ ଦେବାଶିଷ
-୨୦୧୪-୧୫ ଆର୍ଥିକ ବର୍ଷରେ ନୂଆ ମେଘନାଦପୋଇ କାଜୁ ବାଡ଼ିକୁ ୨ ଲକ୍ଷ ୮୦ ହଜାରେ ଟେଣ୍ଡରରେ ନେଇଥିଲେ ଗୋଟିଏ ବର୍ଷ ପାଇଁ ।
-୨୦୧୫-୧୬ ଆର୍ଥିକ ବର୍ଷରେ ନୂଆ ମେଘନାଦପୋଇ କାଜୁ ବାଡ଼ିକୁ ୨ ଲକ୍ଷ ୧୦ ହଜାର ଟଙ୍କାରେ ଟେଣ୍ଡର ଜରିଆରେ ହାତେଇଥିଲେ ଦେବାଶିଷ

ବଡ କଥା ହେଉଛି ଏହି ସବୁ ଟେଣ୍ଡର ମିଳିଥିଲା ସିଙ୍ଗଲ ଆପ୍ଲିକେସନ୍ ଜରିଆରେ । ଅର୍ଥାତ୍ ଏହି ସବୁ କାଜୁ ବାଡ଼ିକୁ ଟେଣ୍ଡରରେ ନେବା ପାଇଁ କେହି ଆବେଦନ କରିନଥିଲେ । କିନ୍ତ ଅଭିଯୋଗ ହେଉଛି, ଡରାଇ ଧମକାଇ ଅନ୍ୟ କାହାକୁ ଟେଣ୍ଡର ଆବେଦନ କରିବାକୁ ଦେଉନଥିଲେ ଦେବାଶିଷ । ଏହି ପୁରା ମାମଲା ଏବେ କେନ୍ଦୁଝର ଜିଲ୍ଲା କୋର୍ଟରେ ବିଚାରଧିନ ଅଛି । ଆଉ ଯାହାଙ୍କୁ ନେଇ ଏତେ ସବୁ ଘଟିଛି, ଅର୍ଥାତ୍ ଦେବାଶିଷ ପାତ୍ର, ସିଏ ଏବେ ଜେଲର ଚାରିକାନ୍ଧ ଭିତରେ କଏଦ ଅଛନ୍ତି । କାରଣ ବିଚ୍ ରାସ୍ତା ଉପରେ ଜଣଙ୍କୁ ଗୋଡ଼ାଇ ଗୋଡାଇ ହାଣିବା ଭଳି ସଂଗୀନ ଅଭିଯୋଗ ରହିଛି ଦେବାଶିଷ ପାତ୍ରଙ୍କ ନାଁରେ । ତେବେ ଏନେଇ ତାଙ୍କ ବାପା ତଥା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।