ବିଜେପିରେ ଖୁବ୍ ଶୀଘ୍ର ଯୋଗ ଦେଇପାରନ୍ତି ଜଗ୍ୟେଂଶ୍ୱର ବାବୁ ! କନକ ନ୍ୟୁଜ ୱେବ ଏକ୍ସକ୍ଲୁସିଭ

32

କନକ ବ୍ୟୁରୋ: ବିଜେପିରେ ଖୁବ୍ ଶୀଘ୍ର ସାମିଲ ହୋଇପାରନ୍ତି ଜଗ୍ୟେଂଶ୍ୱର ବାବୁ । ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି । କନକ ନ୍ୟୁଜକୁ ବିଶ୍ୱସ୍ତ ସୁତ୍ରରୁ ଏହି ସୂଚନା ମିଳିଛି । ଓଡିଶା ଜନମୋର୍ଚ୍ଚା ପ୍ରତିଷ୍ଠାତା ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତ ପରେ ଏବଂ ରାଜ୍ୟ ରାଜନୀତିରେ ଓଜେଏମର ଭବିଷ୍ୟତକୁ ନେଇ ସନ୍ଦୀହାନ ହେବା ପରେ ଜଗ୍ୟେଂଶ୍ୱର ବାବୁ ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି ।

ରାଜ୍ୟ ରାଜନୀତିରେ ସଫଳ ହୋଇନଥିବା ଜଗ୍ୟେଂଶ୍ୱର ବାବୁ ଅତୀତରେ ବିବାଦ ଘେରକୁ ଆସିଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ସ୍କାମ୍ ମାମଲାରେ ତାଙ୍କ ଘରେ ହୋଇଥିଲା ସିବିଆଇ ରେଡ୍ । ସେତେବେଳେ ଜଗ୍ୟେଂଶ୍ୱର ବାବୁ କହିଥିଲେ, ବିଜୟାନନ୍ଦ ଚିନିକଳ ପାଇଁ ଅର୍ଥତତ୍ତ୍ୱ ଠାରୁ ୨ କୋଟି ଟଙ୍କାର ଋଣ ନିଆଯାଇଥିଲା । ତେବେ ୨ଟି ପୋଷ୍ଟ ଡେଟେଡ୍ ଚେକ୍ ମାଧ୍ୟମରେ ଏହି ଅର୍ଥକୁ ପ୍ରଦାନ କରାଯାଇଥିଲା ।

ତେବେ ଜଗ୍ୟେଂଶ୍ୱର ବାବୁଙ୍କ ଘରେ ସିବିଆଇ ରେଡ୍ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଥିଲା । ସେହିଭଳି ଜଗ୍ୟେଂଶ୍ୱର ବାବୁ ଭିଜିଲାନ୍ସ ତଦନ୍ତ ଘେରକୁ ମଧ୍ୟ ଆସିଥିଲେ । ଓଡିଶା ଷ୍ଟେଟ୍ କୋ-ଅପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ଥିବା ବେଳେ ଜଗ୍ୟେଂଶ୍ୱର ବାବୁ ଚିନିକଳକୁ ୩୭ କୋଟି ଟଙ୍କା ଋଣ ଦେବା ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିଲେ । ଦିଆଯାଇଥିବା ଋଣକୁ ସଠିକ ଭାବେ ବିନିଯୋଗ କରାଯାଇନଥିବା ଅଭିଯୋଗ ହେଲା । ଏହି ମାମଲାରେ ଜଗ୍ୟେଂଶ୍ୱର ବାବୁ ଗିରଫ ହେବା ସହିତ ଜାମିନରେ ଆସିଥିଲେ ।

ଏକଦା ବିଜୁ ଜନତା ଦଳର କୋଷାଧ୍ୟକ୍ଷ ଥିବା ଜଗ୍ୟେଂଶ୍ୱର ବାବୁ ବର୍ତ୍ତମାନର ପରିସ୍ଥିତିରେ ବିଜେପିରେ ମିଶିବା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୁର୍ଣ୍ଣ ରହିଛି । ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲାରେ ଅଡୁଆରେ ପଡିଥିବା ବିଜେଡିର ଆଉ କିଛି ଗୁମର ଜଗ୍ୟେଂଶ୍ୱର ବାବୁ ଖୋଲିବାର ଆଶଙ୍କା ରହିଛି । ହୁଏତ ଦଳକୁ କିଭଳି ପାଂଠି ଆସୁଥିଲା ଓ ବିନିଯୋଗ ହେଉଥିଲା ସେନେଇ କିଛି ତଥ୍ୟ ସାମ୍ନାକୁ ଅସିପାରେ ।

୨୦୧୨ରେ ଦଳରୁ ନିଲମ୍ବିତ ହେବା ପରେ ପ୍ୟାରୀମୋହନ ମହାପାତ୍ର ଓଡିଶା ଜନମୋର୍ଚ୍ଚା ଗଠନ କଲାବେଳେ ସେ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ରେ ରାଜ୍ୟ ରାଜନୀତିରେ ଓଡିଶା ଜନମୋର୍ଚ୍ଚା ବିଫଳ ହେବା ପରେ ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନଚାଚୀ ସୃଷ୍ଟି ହୋଇଥିଲା । ବଡ କଥା ହେଉଛି, ସେହି ସମୟରେ ବିଜେପି ସହ ମେଂଟ କଥା ମଧ୍ୟ ଉଠିଥିଲା, କିଛି କାରଣ ବଶତଃ ପରିକଳ୍ପନା ବାସ୍ତବତାର ରୁପ ନେଇପାରିନଥିଲା ।

ତେବେ ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତ ପରେ ଓଜେଏମ ବସ୍ତୁତଃ ରାଜ୍ୟ ରାଜନୀତିରେ ନିଜ ଗୁରୁତ୍ୱ ହରାଇ ବସିଥିଲା । ଆଉ ଏଭଳି ପରିସ୍ଥିତିରେ ଜଗ୍ୟେଂଶ୍ୱର ବାବୁ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ତେବେ ବିଜେପି ଏଥିରୁ ଫାଇଦା ହାସଲ କରୁଛି ନା ଆଗାମୀ ଦିନରେ ଜଣେ ବିବାଦୀୟ ରାଜନେତାଙ୍କୁ ଦଳରେ ମିଶାଇ ବିବାଦ ଘେରକୁ ଆସୁଛି, ତା’ଉପରେ ନଜର ।