ଟିକେଟ୍ କାଟି ଟ୍ରେନରେ ବସିପାରୁ ନାହାନ୍ତି ଯାତ୍ରୀ । ରେଳବାଇ ମାଲାମାଲ୍, ଲୋକ ଗଣୁଛନ୍ତି ତଣ୍ଡ ।

ଆପଣ କଲେ ଟ୍ରେନ୍ ମିସ୍, ଫାଇଦା ପାଉଛି ରେଳ ବିଭାଗ ।

224

କନକ ବ୍ୟୁରୋ: ଆପଣ ଟ୍ରେନ୍ ମିସ୍ କଲେ ମାଲାମାଲ୍ ହେଉଛନ୍ତି ଭାରତୀୟ ରେଳ ବିଭାଗ । ଏଭଳି ଅଜଣା ତଥ୍ୟର ଗୁମର ଖୋଲିଛନ୍ତି ଦେଶର ପ୍ରମୁଖ ପତ୍ରିକା ଆଉଟଲୁକ୍ ଇଣ୍ଡିଆ । ସର୍ଭେ ମୁତାବକ ଭାରତରେ ପ୍ରତିଦିନ ୪୫ ହଜାରରୁ ୫୦ ହଜାର ରେଳଯାତ୍ରୀ ନିଜର କନଫର୍ମ ରିଜର୍ଭେସନ୍ ଟିକେଟ୍ ଥାଇ ମଧ୍ୟ ଟ୍ରେନ୍ ଧରି ପାରୁ ନାହାନ୍ତି । ଫଳରେ ପ୍ରତିଦିନ ଭାରତୀୟ ରେଳ ବିଭାଗ ପକେଟକୁ ଯାଉଛି ୨.୫ କୋଟି ଟଙ୍କାର ମୁନାଫା । ତେବେ ଏହିଭଳି ଆକଳନ କଲେ ବାର୍ଷିକ ୭ଶହରୁ ୮ଶହ କୋଟି ଟଙ୍କା ଭାରତୀୟ ରେଳ ବିଭାଗ ପକେଟକୁ ଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ସୂଚନା ମତାବକ ଏକ ଆରଟିଆଇ ଚିଠିର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ଖୋଦ୍ ରେଳ ମନ୍ତ୍ରଣାଳୟ । ତେବେ ରେଳ ମନ୍ତ୍ରଣାଳୟର ତଥ୍ୟ ମୁତାବକ ବିନା ଆରକ୍ଷଣ ଟିକେଟ୍ ରେ ପ୍ରତିଦିନ ୧୮ରୁ ୨୦ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଅନ୍ୟପଟେ ସୁନିଶ୍ଚିନ୍ତ ଥିବା ରିଜର୍ଭେସନ ଟିକେଟ କରି ମଧ୍ୟ ୪୦ରୁ ୫୦ ହଜାର ରେଳଯାତ୍ରୀ ସଠିକ୍ ସମୟରେ ଟ୍ରେନ୍ ଧରି ପାରୁନାହାନ୍ତି । ଯାହାଫଳରେ ସେମାନଙ୍କ ଟ୍ରେନ୍ ମିସ ଭାରତୀୟ ରେଳ ବିଭାଗକୁ ମାଲାମାଲ କରିଦେଉଛନ୍ତି ।

ରିପୋର୍ଟ ମୁତାବକ ୨୦୧୭ ବର୍ଷରେ ଦେଶର ପ୍ରମୂଖ ୫ଟି ରେଳ ଜୋନ୍ରେ ଅଧିକ ସଂଖ୍ୟକ ରେଳଯାତ୍ରୀମାନେ ଟ୍ରେନ୍ ଧରିବାରେ ଅସମର୍ଥ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ପଶ୍ଚିମ କେନ୍ଦ୍ରୀୟ ରେଳ ଜୋନରେ ସର୍ବାଧିକ ୪.୨ ପ୍ରତିଶତ ରେଳଯାତ୍ରୀ ଦୈନିକ ରିଜର୍ଭେସନ ଟିକେଟ୍ ଥାଇ ମଧ୍ୟ ଟ୍ରେନ୍ ଧରି ପାରୁ ନଥିବାବେଳେ ଇଷ୍ଟ ସେଣ୍ଟ୍ରାଲ୍ ରେଲୱେ ଠାରେ ସର୍ବନିମ୍ନ ୨.୬ ପ୍ରତିଶତ ରେଳଯାତ୍ରୀ ଦୈନିକ ଟ୍ରେନ୍ ମିସ୍ କରିଥାନ୍ତି ।

ଅନ୍ୟପଟେ ଦେଶର ପ୍ରମୂଖ ୫ଟି ଟି ରେଳତଟ ମଧ୍ୟରୁ ଚତୁର୍ଥ ସ୍ଥାନରେ ରହିଛି ପୂର୍ବତଟ ରେଳପଥ । ସେହିଭଳି ନର୍ଥ ସେଣ୍ଟ୍ରାଲ୍ ରେଲୱେଠାରେ ଦୈନିକ ୪.୧ ପ୍ରତିଶତ ରିଜର୍ଭେସନ ଟିକେଟ୍ ଥାଇ ମଧ୍ୟ ଟ୍ରେନ୍ ଧରିବାରେ ଅସମର୍ଥ ହେଉଛନ୍ତି । ଯାହାଫଳରେ ଦୈନିକ ଭାରତୀୟ ରେଳ ବିଭାଗ ଖାତାକୁ ଯାଉଛି ୨.୫ କୋଟି ଟଙ୍କା । ସବୁଠାରୁ ବଡ଼ କଥା ହେଲା ରେଳମନ୍ତ୍ରଣାଳୟ ତରଫରୁ ୨୦୧୫ ମସିହାରେ ପରିବର୍ତ୍ତିତ ହୋଇଥିବା ରିଫଣ୍ଡ ନିମୟ ଯୋଗୁଁ ବାର୍ଷିକ ଭାରତୀୟ ରେଳ ବିଭାଗର ଖାତାକୁ ଯାଉଛି ୭ଶହରୁ ୯ଶହ କୋଟି ଟଙ୍କାର ମୁନାଫା ।