କନକ ନ୍ୟୁଜକୁ ଦେଇଥିବା ପ୍ରତିକ୍ରିୟାରେ ପଲଟିଲେ ପୂର୍ବତନ ପାକିସ୍ତାନ କ୍ରିକେଟର ବାସିତ ଅଲ୍ଲୀ । କହିଲେ, ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ବିଜୟୀ ହେଉ ଟିମ୍ ଇଣ୍ଡିଆ ।

329

କନକ ବ୍ୟୁରୋ : ପାକିସ୍ତାନୀ ଟିଭି ଚ୍ୟାନେଲ ଏଆରୱାଇ ନ୍ୟୁଜ୍ ଡିବେଟରେ ଭାଗ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲ୍ଲି । ବସିତ କହୁଛନ୍ତି ଯେ, ପାକିସ୍ତାନକୁ ସେମିଫାଇନାଲ ଖେଳିବା ପାଇଁ ସୁଯୋଗ ଦେବନାହିଁ ଭାରତ । ଏପରିକି ଜାଣିଶୁଣି ମ୍ୟାଚ୍ ହାରିଯିବ ଟିମ୍ ଇଣ୍ଡିଆ । ଏପର୍ଯ୍ୟନ୍ତ ବିଶ୍ୱକପରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ୬ଟି ମ୍ୟାଚ୍ ଖେଳି ୧୧ ପଏଂଟ ସହ ପଏଂଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ରବିବାର ଆୟୋଜକ ଇଂଲଣ୍ଡ ସହ ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି । ଏହାପରେ ବାଂଲଦେଶ ଓ ଶ୍ରୀଲଙ୍କାକୁ ଭେଟିବ ଭାରତ । ଅଥଚ ପାକିସ୍ତାନର ସେମିଫାଇନାଲ ବାଟ ଓଗାଳିବାକୁ ଭାରତ ଜାଣିଶୁଣି ଦୁଇଟି ମ୍ୟାଚ୍ ହାରିବ ବୋଲି କହିଛନ୍ତି ଏହି ପୂର୍ବତନ ପାକ୍ କ୍ରିକେଟର ।

ନିଜ ଯୁକ୍ତିକୁ ବଳ ଦେବା ପାଇଁ ସେ ୧୯୯୨ ବିଶ୍ୱକପର ଉଦାହରଣ ଦେଇଛନ୍ତି । ସେମିଫାଇନାଲ ଖେଳିବାକୁ ନ୍ୟୁଜିଲାଣ୍ଡ ଜାଣିଶୁଣି ପାକିସ୍ତାନ ବିରୋଧରେ ଲିଗ୍ ମ୍ୟାଚ୍ ହାରିଥିଲା ବୋଲି ସେ ଯୁକ୍ତି ବାଢିଛନ୍ତି । ସେହିପରି ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବପକ୍ଷ ମ୍ୟାଚ୍ ଭାରତ ହାରୁ ହାରୁ ଜିତିଲା ଏବଂ ଭାରତ ବିରୋଧରେ ଅଷ୍ଟ୍ରେଲିଆ କଣ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପାକିସ୍ତାନ ଟିଭି ଡିବେଟରେ ଏଭଳି ଏକ ଚର୍ଚ୍ଚିତ ବୟାନ ପରେ ଏହି ପୂର୍ବତନ ପାକସ୍ତାନୀ କ୍ରିକେଟରଙ୍କ ସହ ଆମେ ଯୋଗାଯୋଗ କରିଥିଲୁ । ଆମ ପ୍ରତିନିଧି କଳିଙ୍ଗଶ୍ରୀ ପଣ୍ଡାଙ୍କୁ ବାସିତ ଅଲ୍ଲି ଦେଇଥିବା ଏକ୍ସକ୍ଲୁସିଭ ପ୍ରତିକ୍ରିୟାରେ କିନ୍ତୁ ସଂପୂର୍ଣ୍ଣ ପଲଟି ଯାଇଛନ୍ତି । ଟିମ୍ ଇଣ୍ଡିଆର ବିଶ୍ୱକପ୍ ପ୍ରଦର୍ଶନ ସହ ମହମ୍ମଦ ସାମିଙ୍କ ବୋଲିଂକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବାସିତ ଅଲ୍ଲି । ଏପରିକି ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟୀ ହେଉ ବୋଲି ପ୍ରାର୍ଥନା କରିବି ବୋଲି କହିଛନ୍ତି ଏହି ପୂର୍ବତନ ପାକିସ୍ତାନ କ୍ରିକେଟର । କାରଣ ଏହି ୨ଟି ଟିମ ବିରୋଧରେ ଭାରତର ବିଜୟ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶାକୁ ଉଜ୍ଜୀବିତ ରଖିବ ।