କମିବନି ପେଟ୍ରୋଲ୍ ଏବଂ ଡିଜେଲ୍ ଦର ! ସ୍ପଷ୍ଟ କଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ

66

କନକ ବ୍ୟୁରୋ : ବଢିବାରେ ଲାଗିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର  । ବିଗତ ଦୁଇ ମାସ ଭିତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି । ଯାହା ଏବେ ଗ୍ରାହକଙ୍କ ମଧ୍ୟରେ ଅଶାନ୍ତିର ମଂଜି ପୋତିଛି  । ଏହା ଭିତରେ ଆସିଛି ଆଉ ଏକ ବଡ ଖବର  । ଗ୍ରାହକଙ୍କ ଏହି ଅଶାନ୍ତିକୁ ବଢାଇଦେଇଛି ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ବୟାନ୍  ।

ଆଜି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଉତ୍ପାଦନ ଶୁଳ୍କ ହ୍ରାସ କରିବା ଭଳି ସ୍ତରରେ ନାହିଁ  । ତେଣୁ ନିକଟ ଭବିଷ୍ୟତରେ ଏହି ଦର ଏବଂ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଜୁଲାଇ ୧ଠାରୁ ତେଲ ଦରରେ ଦୈନିକ ପରିବର୍ତ୍ତନ ହେବ ବୋଲି ସରକାର ନିଷ୍ପତି ନେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମେ’ ପହିଲାରୁ ଏହି ଦର ଦେଶର ୫ଟି ସହରରେ ଲାଗୁ କରାଯାଇଥିଲା । ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ୍, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡ଼ରେ ଏହି ନୂଆ ନିୟମ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପରେ ସାରା ଦେଶରେ ପ୍ରାୟ ୫୮ହଜାର ପେଟ୍ରୋଲ ପମ୍ପରେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଏହି ନିୟମ ଲାଗୁ କରାଯାଇଛି । ଅର୍ନ୍ତଜାତୀୟ ତୈଳ ଦରକୁ ନଜରରେ ରଖି ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ ଓ ଡିଜେଲ ଦର ବଦଳିଥାଏ । ଏବେ ଏହା ପ୍ରତିଦିନ ବଦଳୁଛି ।

ତେବେ ଯେବେଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି ସେବେଠାରୁ ପେଟ୍ରୋଲ୍ ଲିଟର ପିଛା ୬ ଟଙ୍କାରୁ ଅଧିକ ବଢିଥିବା ବେଳ ଡିଜେଲ୍ ମୂଲ୍ୟରେ ୩ଟଙ୍କା ୮୬ ପଇସା ବୃଦ୍ଧି ହୋଇ ସାରିଛି । ସେହିପରି ପେଟ୍ରୋଲିୟମ୍ ମନ୍ତ୍ରାଳୟ ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲ୍ ଉପରେ ୨୧.୪୮ଟଙ୍କା ଶୁଳ୍କ ଥିବା ବେଳେ ଏବଂ ଡିଜେଲ୍ ଉପରେ ରହିଛି ୧୭.୩୩ ଟଙ୍କା ଶୁଳ୍କ  ।

ସରକାର ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣ ପ୍ରକ୍ରିୟାକୁ ନିୟନ୍ତ୍ରଣମୁକ୍ତ କରିଛନ୍ତି । ୨୦୧୦ରେ ପେଟ୍ରୋଲ୍‌ ଏବଂ ୨୦୧୪ରେ ଡିଜେଲ ଦର ନିର୍ଧାରଣ କରିବାର ସ୍ୱାଧୀନତା କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ଓ ଡଲାର ଏବଂ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଏବଂ ଡିଜେଲ ଦର ନିର୍ଧାରଣ କରୁଛନ୍ତି ।

ତେବେ କିଛି ଦିନ ତଳେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ପେଟ୍ରୋଲ୍ ଏବଂ ଡିଜେଲ୍ ଶୁଳ୍କ କମ୍ କରିବା ପାଇଁ ଅନୁରୋଧ କରିଥିଲେ । ଅରୁଣ ଜେଟଲୀଙ୍କ କହିବା ଅନୁଯାୟୀ , ପେଟ୍ରୋଲ୍ ,ଏବଂ ଡିଜେଲ୍ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ । ତେଣୁ ଏଥିରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଲାଭ ମଧ୍ୟ ମିଳୁନଥିବାରୁ ଉତ୍ପାଦନ ଶୁଳ୍କ ବୃଦ୍ଧି ହେଉଛି । ତେଣୁ ରାଜ୍ୟ ସରକାର ପେଟ୍ରୋଲ୍ ଏବଂ ଡିଜେଲ୍ ଶୁଳ୍କକୁ ନିଜ ହିସାବରେ କମ୍ କରିପାରିବେ ।

ପିପିଏସି ରିପୋର୍ଟ ମୂତାବିକ୍ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଅତ୍ୟଧିକ ଭାଟ୍ ଲାଗୁ କରାଯାଇଛି । ମହାରାଷ୍ଟ୍ରରେ ୪୮.୯୮ ପ୍ରତିଶତ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ଅଛି ୩୧.୦୬ ପ୍ରତିଶତ ।

ଅନ୍ୟପଟେ ଧର୍ମେନ୍ଦ୍ର ପଧାନ କହିଛନ୍ତି ଖୁବ୍ ଶୀଘ୍ର ଜିଏସଟିରେ ପେଟ୍ରୋଲ୍ ଏବଂ ଡିଜେଲ୍ ସାମିଲ୍ କରାଯିବ । ଏହା ସହ କହିଛନ୍ତି ସରକାର ସମସ୍ତ ରାଜ୍ୟସହ ବୁଝାମଣା କରିବାକୁ ଚେଷ୍ଟା କରୁଛି । ଏହା ସଫଳ ହେଲେ ଖୁବ୍ ଶୀଘ୍ର ପେଟ୍ରୋଲ୍ ଏବଂ ଡିଜେଲ୍ ମଧ୍ୟ ଜିଏସଟିରେ ସାମିଲ୍ ହୋଇଯିବ । ଫଳରେ ଏଥିରେ ଦର ନିୟନ୍ତ୍ରଣାଧୀନ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।