କେବେ ବାହିରିବେ ନବୀନ ! ଷ୍ଟାର୍ ପ୍ରଚାରକଙ୍କୁ ଗାଁକୁ ପଠାଇ ସୁପରଷ୍ଟାର୍ ଚୁପ୍

21

କନକ ବ୍ୟୁରୋ : ଅଭିନେତାଙ୍କ କାନ୍ଧରେ ବିଜେଡିର ପ୍ରଚାର ଭାର । ଗାଁ ଗାଁରେ ବିଜେଡିର ଷ୍ଟାର କ୍ୟାମ୍ପେନର । ସାହିକୁ ସାହି ଗଳିକୁ ଗଳି ବୁଲି ମାଗୁଛନ୍ତି ଭୋଟ୍ । ଶୋଭାଯାତ୍ରା ଓ ବାଇକ୍ ରାଲିରେ ସରଗରମ ପ୍ରଚାର । ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଓଲିଉଡ୍ ହିରୋ । ସରକାରଙ୍କ ସୁଶାସନ ଓ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରି ବରଗଡରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ଓଲିଉଡ୍ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ।

ବରଗଡରେ ଅନୁଭବ ତ କଳାହାଣ୍ଡିରେ ଅରିନ୍ଦମ । ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଡାଏଲଗ୍ ମାରି ଚଳାଇଛନ୍ତି ପ୍ରଚାର । ଗାଁ ଗହଳିର ଭୋଟରଙ୍କୁ ନିଜ ଷ୍ଟାଇଲରେ କରୁଛନ୍ତି ମତୁଆଲା । ସେପଟେ ଭଦ୍ରକରେ ଭୋଟ୍ ମାଗିଛନ୍ତି ଅଭିନେତା କୁନା ତ୍ରିପାଠୀ । କମେଡି ଅନ୍ଦାଜରେ ଲୋକଙ୍କୁ କହୁଛନ୍ତି ସରକାରଙ୍କ ସଫଳତା ।

ଏମାନେ ହେଲେ ବିଜେଡିର ଷ୍ଟାର କ୍ୟାମ୍ପେନର । ହେଲେ କୁଆଡେ ଗଲେ ଦଳର ସୁପରଷ୍ଟାର । ମାନେ ସୁପ୍ରିମୋ ନବୀନ ପଟ୍ଟନାୟକ । କେବେ ଓହ୍ଲାଇବେ ପ୍ରଚାର ମୈଦାନକୁ ? ନା ଜମା ପ୍ରଚାର କରିବେନି ? ପଦାକୁ କିଛି ଜଣାପଡୁନି । ହାତରେ ଆଉ ମାତ୍ର ୫ ଦିନ । ଏଭଳି ସ୍ଥିତିରେ ନବୀନ ପ୍ରଚାର କରିବେ ନା ନାହିଁ ତାକୁ ନେଇ ସସପେନ୍ସ । ନବୀନଙ୍କୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଶା ରଖିଛନ୍ତି ବିଧାୟକ । ହେଲେ ନବୀନ ନିବାସରୁ ଏଥିପାଇଁ ମିଳୁନି ସିଗନାଲ୍ ।

ପଂଚାୟତ ଯୁଦ୍ଧ ଜିତିବାକୁ ବିଜେପି ଆଣିଛି କେନ୍ଦ୍ରମନ୍ତ୍ରୀଙ୍କୁ । ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି । କଂଗ୍ରେସ ମୁଖିଆ ବି ଦଳର ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇ ସାରିଲେଣି । ଏବେ ରଣାଙ୍ଗନରେ ବିରୋଧୀ ହେବିୱେଟ୍ । ହେଲେ ନବୀନ ଆସିବେ କି ନାହିଁ ଅଙ୍କକଷା ଛିଣ୍ଡୁନି ।