ପଦ୍ମ ଦଳକୁ ଡେଇଁବା ପରେ ଧୋଇଗଲା କି ନେତାଙ୍କ ପାପ ? ସାରଦା ଚିଟଫଣ୍ଡ ଦୁର୍ନୀତି ଅଭିଯୁକ୍ତଙ୍କୁ ବିଜେପିର ସୁରକ୍ଷା !

554

କନକ ବ୍ୟୁରୋ: ଶାରଦା ଚିଟଫଣ୍ଡ ମାମଲାକୁ ନେଇ ଚାଲିଛି ଆଇନର ଖଣ୍ଡଯୁଦ୍ଧ । ଗତକାଲି କୋଲକତା ପୋଲିସ କମିଶନରଙ୍କ ଘରେ ସିବିଆଇ ପହଁଚିଲା ପରେ ଆରମ୍ଭ ହେଲା ରାଜନୈତିକ ଲଢ଼େଇ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିବା ମୁତାବକ କେନ୍ଦ୍ରରେ ଥିବା ମୋଦି ସରକାର ସିବିଆଇର ଦୁରୁପ ଯୋଗ କରୁଛନ୍ତି । କାରଣ ବିଜେପି ସରକାର ଯଦି ପ୍ରକୃତରେ ଶାରଦା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଚାହୁଥାନ୍ତେ ତେବେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ଥିବା ୨ ନେତା ମୁକୁଲ ରାୟ ଏବଂ ଅସାମ ମନ୍ତ୍ରୀ ହମିନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ।

ଟିଏମସିର ଏହି ପୂର୍ବତନ ଦୁଇ ନେତା ଶାରଦା ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏହାସହ ଟିଏମସିର ନେତା ଗର୍ଗୀ ଚାଟାର୍ଜୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ମୁକୁଲ ରାୟ ଏବଂ ହମିନ୍ତ ବିଶ୍ୱଶର୍ମାଙ୍କ ସହ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ଫୋନ୍ ରେକର୍ଡିଂ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସିବିଆଇ ଜରିଆରେ ପଶ୍ଚିମବଙ୍ଗର ଜଣେ ଆଇପିଏସ ଅଫିସରଙ୍କୁ ଟାର୍ଗେଟ କରିବା ପାଇଁ କଥାବାର୍ତ୍ତା ଲିକ୍ ହୋଇଥିଲା ।

ସୂଚନା ମୁତାବକ ୨୦୧୩ ଏପ୍ରିଲରେ ଶାରଦା ଚିଟଫଣ୍ଡ ଘୋଟାଲାର ପର୍ଦ୍ଦାଫାସ ହୋଇଥିଲା । ସେହି ସମୟରେ ପଶ୍ଚିମବଙ୍ଗ ରାଜନୀତିରେ ଘାମାସାନ ଯୁଦ୍ଧ ଦେଖିବାକୁ ମିଳିଥିଲା । ସେତେବେଳେ ତୃଣମୂଳ କଂଗ୍ରେସର ଅନେକ ନେତାଙ୍କ ଉପରେ ଆରୋପ ଲାଗିଥିଲା । ସେଥିମଧ୍ୟରୁ ଟିଏମସି ଏବଂ ଆସାମ କଂଗ୍ରେସର ପୂର୍ବତନ ନେତା ମୁକୁଲ ରୟ ଓ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ଚିଟଫଣ୍ଡ ର୍ଦୁନୀତିର ଦାଗ ଲାଗିଥିଲା । ପରେ ପରେ ମମତାଙ୍କ ବିଶ୍ୱସ୍ତ ବୋଲାଉଥିବା ମୁକୁଲ ରୟ ବିଜେପିରେ ସାମିଲ ହୋଇଥିଲେ । ସେହିଭଳି ଆସାମ କଂଗ୍ରେସର ହାତ ଛାଡ଼ି ହମିନ୍ତ ବିଶ୍ୱଶର୍ମା ୨୦୧୬ରେ ପଦ୍ମ ଧରିଥିଲେ । ତେବେ ମୋଦି ଏମାନଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ଓ କାହିଁକି ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ଟିଏମସି ।