ଗଙ୍ଗାକୁ ସଫା କରିବେ ଯବାନ ! ଗଠନ ହେଲା ଟାସ୍କଫୋର୍ସ, ଖୁବ ଶୀଘ୍ର ଆରମ୍ଭ ହେବ କାମ ।

30

ପବିତ୍ର ଗଙ୍ଗାନଦୀ ! ଯାହାର ଟିକିଏ ପାଣି ମଣିଷର ସବୁ ପାପ କ୍ଷୟ କରିଦିଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ସବୁଠାରୁ ଦୁଖର ବିଷୟ ହେଉଛି ଏହି ପବିତ୍ର ନଦୀର ପାଣି ଏବେ ବିଶାକ୍ତ ହେବାରେ ଲାଗିଛି । ପ୍ରଦୂଷିତ ହୋଇଯାଇଛି ଗଙ୍ଗା । ଆଉ କେହି ଶୁଣୁନାହାନ୍ତି ଗଙ୍ଗାର ଦୁଃଖ । ଦିନକୁ ଦିନ ଗଙ୍ଗା ନଦୀରେ ପ୍ରଦୂଷଣ ବଢୁଥିବା ବେଳେ ଏବେ ଗଙ୍ଗାର ପୁର୍ନଃଉଦ୍ଧାର ପାଇଁ ଅଣ୍ଟା ଭିଡିଛି ଭାରତୀୟ ସେନା ।

ଦିନକୁ ଦିନ ପବିତ୍ର ଗଙ୍ଗା ନଦୀରେ ପ୍ରଦୂଷଣ ବଢିବାରେ ଲାଗିଛି । ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଗଙ୍ଗା ନଦୀକୁ ପ୍ରଦୂଷଣରୁ ରୋକିବା ପାଇଁ ଅବସରପ୍ରାପ୍ତ ଯବାନ ମାନଙ୍କର ଏକ ଟାସ୍କ ଫୋର୍ସ ଗଠନ କରାଯାଉଛି । ଏହି ଟିମ୍ ଗଙ୍ଗାକୁ ପ୍ରଦୂଷଣରୁ ରକ୍ଷା କରିବା ସହ ଲୋକମାନଙ୍କୁ ଗଙ୍ଗାରେ ଅଳିଆ ଆବର୍ଜନା ନପକାଇବା ପାଇଁ ସଚେତନ କରିବ । କେବଳ ଏତିକି ନୁହେଁ ଟାସ୍କଫୋର୍ସର ଯବାନମାନେ ଘାଟ ଗୁଡିକରେ ପେଟ୍ରୋଲିଙ୍ଗ ମଧ୍ୟ କରିବେ । ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ୫୩୨ ଜଣ ଅବସରପ୍ରାପ୍ତ ସୈନିକଙ୍କର ଟାସ୍କ ଫୋର୍ସ ଗଠନ କରୁଛି ।

ଟାସ୍କଫୋର୍ସରେ ୯ଜଣ ଅଫିସର ଏବଂ ୨୯ଜଣ ଜୁନିୟର ର୍ୟାଙ୍କର ଅଫିସର ରହିବେ । ଅବସରପ୍ରାପ୍ତ ଏହି ଯବାନମାନଙ୍କୁ ଆଲ୍ଲାହାବାଦ, ବାରାଣାସୀ ଏବଂ କାନପୁରରେ ନିୟୋଜିତ କରାଯିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୦ଜଣ ସୈନିକଙ୍କୁ ଏଥିପାଇଁ ଆଲ୍ଲାହାବାଦରେ ଟ୍ରେନିଂ ଦିଆଯାଉଛି ।

ଏହି ଯବାନ ମାନଙ୍କୁ ଟାସ୍କଫୋର୍ସରେ ତିନିବର୍ଷ ପର୍ଯ୍ୟନ୍ତ ରଖାଯିବ । ନ୍ୟାସନାଲ ମିଶନ ଫର୍ କ୍ଲିନ ଗଙ୍ଗାର ଡାଇରେକ୍ଟର ଜେନେରାଲ ରାଜୀବ ରଞ୍ଜନ ମିଶ୍ରାଙ୍କ କହିବା ଅନୁଯାୟୀ, ଗମ୍ଭୀର ସ୍ଥିତିରେ ଯବାନ ମାନଙ୍କର କାର୍ଯ୍ୟ କରିବାର କ୍ଷମତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଚୟନ କରାଯାଇଛି । ଆଉ ଏହି ଅବସରପ୍ରାପ୍ତ ଯବାନମାନେ ଗଙ୍ଗାନଦୀର କୂଳେ କୂଳେ ଗଛ ଲଗାଇବା ସହ ସାଧାରଣ ଜନତାଙ୍କୁ ସଚେତନ କରାଇବାର କାର୍ଯ୍ୟ ମଧ୍ୟ କରିବେ । ଏହା ସହ ପବିତ୍ର ଗଙ୍ଗା ନଦୀରେ ହେଉଥିବା ପ୍ରଦୂଷଣକୁ ମଧ୍ୟ ପର୍ଯ୍ୟବେକ୍ଷଣ କରିବେ ।

କ୍ଲିନ ଗଙ୍ଗା ମିଶନ ଅନୁଯାୟୀ, ଏହି ଅବସରପ୍ରାପ୍ତ ଯବାନମାନେ ଡିଷ୍ଟ୍ରିକ କମିଟି ସହ କାମ କରିବେ । ତେବେ ଏହି ଯବାନ ମାନଙ୍କ ଉପସ୍ଥିତିରେ ପର୍ଯ୍ୟଟକମାନଙ୍କ ମଧ୍ୟରେ ଶୃଙ୍ଖଳିତ ଆଚରଣ ଆସିବ । ଏବଂ ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତେ ସଚେତନ ହୋଇପାରିବେ । କେବଳ ଏତିକି ନୁହେଁ ଟାସ୍କଫୋର୍ସର ଏହି ଯବାନମାନେ ଏନଜିଓ ସହ ମିଶି ଲୋକମାନଙ୍କୁ ସଚେତନ ମଧ୍ୟ କରାଇବେ ଯେ, ସମସ୍ତ ସାଧାରଣ ଲୋକ ସେମାନଙ୍କ ଘରକୁ ସିବେଜ ଲାଇନରେ ସଂଯୁକ୍ତ କରିବା ଉଚିତ୍ ।
ତେବେ ଦୀର୍ଘଦିନ ଧରି ପବିତ୍ର ଗଙ୍ଗାନଦୀ ପ୍ରଦୂଷଣ ହେଉଥିବା ବେଳେ ଏଥିପ୍ରତି କାହାର ମଧ୍ୟ ଦୃଷ୍ଟି ପଡିନଥିଲା । ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ଅନେକ ଯୋଜନା ତିଆରି କରିଛି ସତ କିନ୍ତୁ ସମସ୍ତ ଯୋଜନା, କେବଳ ଯୋଜନାରେ ହିଁ ସୀମିତ ରହିଯାଇଛି । ତେବେ ଅବସରପ୍ରାପ୍ତ ଯବାନଙ୍କ ଏହି ଟାସ୍କଫୋର୍ସର ଏହି ଯୋଜନାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।