ସ୍କୁଲ ବହିରେ ବାଜପେୟୀଙ୍କ ଜୀବନୀ ! ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନୀକୁ ଅନୁସରଣ କରିବେ ଛାତ୍ରଛାତ୍ରୀ

136

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଝୁରୁଛି ସାରା ଭାରତ । ଯିଏ ସଦାସର୍ବଦା ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ । ଅନେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରାଯାଉଛି । ଅଜାତ ଶତ୍ରୁ ଭଳି ନେତାଙ୍କ ପାଇଁ ଦେଶବାସୀ ତାଙ୍କୁ ଭଗବାନଙ୍କ ରୁପରେ ମଧ୍ୟ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ବାଜପେୟୀଙ୍କ ସଂଘର୍ଷମୟ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତି ନେଇଛନ୍ତି ରାଜସ୍ଥାନ ସରକାର ।

ଛାତ୍ରଛାତ୍ରୀଙ୍କୁ ଦେଶର ବରପୁତ୍ର ଓ ବୀରମାନଙ୍କ ସମ୍ବନ୍ଧରେ ସୂଚିତ କରିବା ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରୀତି ଭାବ ଜାଗ୍ରତ କରାଇବାରେ ସହାୟକ ପାଇଁ ରାଜସ୍ଥାନ ସରକାର ଅନେକ ମହାପୁରୁଷଙ୍କ ଜୀବନୀ ପାଠ୍ୟପୁ୍ସ୍ତକରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ଆରଏସଏସ୍ ପ୍ରତିଷ୍ଠାତା ବୀର ସାୱରକର, ବିଜେପି ପ୍ରତିଷ୍ଠତା ଦୀନ ଦୟାଲ୍ ଉପାଧ୍ୟାୟଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି। ସେହିପରି ଏକାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ପ୍ରଧାନମନ୍ତ୍ରୀ ସମ୍ପର୍କିତ ବିଷୟରେ ୨୦୧୫-୧୬ରେ ବାଜପେୟୀଙ୍କ ସମ୍ପର୍କରେ ତିନୋଟି ଅନୁଚ୍ଛେଦ ଯୋଡ଼ା ଯାଇଥିଲା।

ଏ ସମ୍ପର୍କରେ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ବାସୁଦେବ ଦେବନାନି କହିଛନ୍ତି ଯେ ସାମ୍ପ୍ରତିକ ସ୍ଥିତିରେ ଅନ୍ୟ ନେତାଙ୍କ ସହିତ ବାଜପେୟୀଙ୍କ ତୁଳନା ଅସମ୍ଭବ। ତେଣୁ ତାଙ୍କ ଜୀବନୀ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିପାରିବ। କେଉଁ ଶ୍ରେଣୀରେ ବାଜପେୟୀଙ୍କ ଜୀବନୀ ସ୍ଥାନ ପାଇବ ତାହା ନିର୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ତାଙ୍କ ସ୍କୁଲ୍ ଜୀବନରୁ ଜରୁରୀକାଳୀନ ପରିସ୍ଥିତି, ଆଣବିକ ପରୀକ୍ଷଣ, କାରଗିଲ୍ ଯୁଦ୍ଧ, ବିଶ୍ୱ ରାଜନୀତିରେ ପ୍ରଭାବ ସମ୍ପର୍କରେ ସେଥିରେ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି।