କଡଲେଉଟାଉଛି କଳାହାଣ୍ଡି ରାଜନୀତି ! ରାହୁଲଙ୍କ ଉପସ୍ଥିତିରେ ଘରକୁ ଫେରିବେ ପୂର୍ବତନ ସାଂସଦ ।

1,543

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ସେତିକି ଉଷ୍ମତା ବଢିବାରେ ଲାଗିଛି । ଆଉ ଏହା ସହ ଜାରି ରହିଛି ନେତାଙ୍କ ଦଳଡିଆଁ ଅଭିଯାନ । ନିକଟରେ ଅନେକ ହେଭିୱେଟ୍ ନେତା ଦଳ ପରିବର୍ତ୍ତନ କରିସାରିଛନ୍ତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଜଣେ ବରିଷ୍ଠ ନେତାଙ୍କ ଦଳ ପରିବର୍ତ୍ତନର ଖବର । କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାଷ ନାୟକ ବିଜେଡି ଛାଡି କଂଗ୍ରେସରେ ସାମିଲ ହେବେ ବୋଲି ଜଣାପଡିଛି ।

ପୂର୍ବରୁ କଂଗ୍ରେସରେ ଥିବା ସୁବାଷ ନାୟକ ବିଗତ ଦିନରେ ବିଜେଡିରେ ଯୋଗ ଦେଇଥିଲେ । ଏହା ସହ ୨୦୦୯ ନିର୍ବାଚନରେ ଶଙ୍ଖ ଚିହ୍ନରୁ ଲୋକସଭା ସଦସ୍ୟ ଭାବେ ଲଢିଥିଲେ । କିନ୍ତୁ ଏହା ପରେ ବିଜେଡିରେ ଅଲୋଡା ହୋଇ ରହିଥିଲେ ସୁବାସ । ତେବେ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଆସୁଥିବା ବେଳେ କଂଗ୍ରେସରେ ସାମିଲ ହେବା ନେଇ ଆଜି ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ସୁବାଷ ନାୟକ ।

କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସୁବାଷ ନାୟକଙ୍କ ଘରକୁ ଯିବା ଓ ପରେ ସୁବାସ କଂଗ୍ରେସରେ ମିଶିବା ନେଇ ଘୋଷଣା କରିବା ପରେ ଉଭୟ କଂଗ୍ରେସ ଓ ବିଜେଡି ଶିବିରରେ ହଲଚଲ ସୃଷ୍ଟି କରିଛି । ତେବେ ଏନେଇ କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି, କଳାହାଣ୍ଡିରେ ସାଂସଦ ଥିବା ସମୟରେ ସୁବାଷ ନାୟକଙ୍କ ଅନେକ ଅବଦାନ ରହିଛି ।