ନବୀନଙ୍କ ବିରୁଦ୍ଧରେ ମହାମେଂଟ ନେଇ ଖାରବେଳ ସ୍ୱାଇଁଙ୍କ ବୟାନ୍ । କହିଲେ ବିଜେଡ଼ି ବିରୋଧୀ ମେଂଟରେ ସାମିଲ ହେବେ ଦାମ, ବୈଜୟନ୍ତ ଓ ବ୍ରଜ ତ୍ରିପାଠୀଙ୍କ ଭଳି ତୁଙ୍ଗ ନେତା

ବିଜେଡି ବିରୋଧରେ ମହାମେଂଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ

395

କନକ ବ୍ୟୁରୋ : ବିଜେଡି ବିରୋଧରେ ମହାମେଂଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ । ଏହି ମହାମେଂଟର ରୂପରେଖ ୧୫ ଦିନ ଭିତରେ ସ୍ପଷ୍ଟ ହେବ । ଏଥିପାଇଁ କଥାବାର୍ତା ଚାଲିଛି ବୋଲି କହିଚନ୍ତି ଉତ୍କଳ ଭାରତର ସଭାପତି । ସେ କହିଛନ୍ତି, ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଦାମ ରାଉତ ଓ ପୁରୀର ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ ସାମିଲ ହେବେ । ମହାମେଂଟ ବିଜେଡି ବିରୋଧରେ ଲଢିବ । ତେବେ ବିଜେପି ସହ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ଖାରବେଳ ସ୍ପଷ୍ଟ କରିଛନ୍ତି । ଗତବର୍ଷ ଦାମ ରାଉତ ଓ ବୈଜୟନ୍ତ ପଣ୍ଡା ବିଜେଡିରୁ ତଡା ଖାଇଥିଲେ ।

 

ଏହା ପରେ ଦାମ ରାଉତ ବ୍ରଜ ତ୍ରିପାଠୀଙ୍କ ମିଶି ନୂଆ ଦଳ ଗଠନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏହା ବେଶୀଦିନ ଚାଲିନଥିଲା । ଦାମ ରାଉତ ଅଲଗା ହେବାକୁ ଘୋଷଣା କରିଥିଲେ । ଏବେ ପୁଣି ମହାମେଂଟ ନେଇ ଖାରବେଳ ସ୍ୱାଇଁ ସଙ୍କେତ ଦେବା ପରେ ମହାମେଂଟର ରୂପରେଖ କଣ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି । ତେବେ ନବୀନଙ୍କ ବିରୋଧରେ ଅନେକ ଦିନ ହେବ ମହାମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗିରହିଥିଲା । ହେଲେ ଆଜି ଖାରବେଳ ସ୍ୱାଇଁ ସୂଚନା ଦେବା ପରେ ସାରା ରାଜ୍ୟରେ ନୂଆ ମେଣ୍ଟ ଉପରେ ନଜର ରହିଥିବା ଜଣାପଡିଛି ।