ଜାତିବାଦରୁ ନେତାଙ୍କୁ ବି ମିଳିଲାନି ତ୍ରାହି  ! ଭିନ୍ନ ଜାତିରେ ଝିଅ ବାହା ଦେବାରୁ ଭତ୍ରା ସମାଜରୁ ବାସନ୍ଦ ଦେଲେ ପୂର୍ବତନ ବିଧାୟକ ସଦନ ନାୟକ

225

କନକ ବ୍ୟୁରୋ : ନେତା ବି ତ୍ରାହି ପାଇଲେ ନାହିଁ । ଜାତିବାଦରେ ଫସିଲେ ନେତା । ପୂର୍ବତନ ବିଧାୟକ ସଦନ ନାୟକ, କଂଗ୍ରେସ ନେତା ପ୍ରଦୀପ ମାଝି , ଡାବୁଗାଁ ବିଧାୟକ ଓ କୋଟ୍ଟପାଡ ବିଧାୟକଙ୍କୁ ଜାତିରୁ ବହିଷ୍କାର କରିଛି ଭତ୍ରା ସମାଜ । ସଦନ ନାୟକଙ୍କ ଝିଅଙ୍କ ବାହାଘର ଅନ୍ୟ ଜାତିର ପୁଅ ସହିତ ହୋଇଥିବା ଅଭିଯୋଗ କରି ଭତ୍ରା ସମାଜ ଏହି ନିଷ୍ପତି ନେଇଛି । ସେପଟେ ଏ ନେଇ ସଦନ ନାୟକ କହିଛନ୍ତି, ତାଙ୍କୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ଆଉ ଏଭଳି ଯଦି ହୋଇଥାଏ ତାହାହେଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଥାଇପାରେ ବୋଲି କହିଛନ୍ତି ସଦନ ନାୟକ ।

sadan

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ବିଧାୟକ ସଦନ ନାୟକ ନିଜ ଝିଅଙ୍କୁ ଭିନ୍ନ ଜାତିରେ ବିବାହ କରାଇଛନ୍ତି । ଏହି ବିବାହକୁ ସେ ପୂରାପୂରି ଗୋପନ ରଖିଥିଲେ । ଭୁବନେଶ୍ବରର କୌଣସି ହୋଟେଲରେ ବିବାହର ଆୟୋଜନ କରିଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଏହି ବିବାହଭୋଜିରେ ଯୋଗଦେଇଥିଲେ । ଏହା ଜାଣିବା ପରେ ଆଜି ନବରଙ୍ଗପୁର ସ୍ଥିତ ଭତରା ଭବନଠାରେ ପରିଷଦର ବୈଠକ ବସିଥିଲା ।

ଭତ୍ରା ସମାଜର କେନ୍ଦ୍ରୀୟ ସଭାପତି ଜଗଦୀଶ ନାୟକ, ଉପସଭାପତି, ଜିଲ୍ଲା ସଭାପତି ଅର୍ଜୁନ ଭତରା, ଜିଲ୍ଲା ସମ୍ପାଦକ ଜୟରାମ ଭତ୍ରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହନ ନାୟକ, ଦିବାକର ପୂଜାରୀ, ମଦନ ମୋହନ ମାଝୀ, ମଙ୍ଗରାଜ ରନ୍ଧାରୀ, ନୀଳକଣ୍ଠ ଚାଲାଣ ପ୍ରମୁଖଙ୍କ ସହ ବସ୍ତର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଭତରା ସମାଜର ବହୁ ସଂଖ୍ୟାରେ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ସଦନଙ୍କୁ ଭତରା ସମାଜରୁ ବାସନ୍ଦ ଏବଂ ପ୍ରଦୀପ, ଭୁଜବଳ ଓ ଚନ୍ଦ୍ରଶେଖରଙ୍କୁ ସାମୟିକ ବାସନ୍ଦ କରାଯାଇଛି ।