ବିଲରେ ବିହନ ବୁଣିଲେ ପୂର୍ବତନ ବିଧାୟକ । ରାଜନୀତି ମୈଦାନରୁ କ୍ଷେତରେ ଚାଷ, ଭିନ୍ନ ଭୂମିକାରେ ଡମ୍ବରୁ ସୀସା ।

୨୦୧୪ ସାଧାରଣ ନିର୍ବାଚନରେ ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ଡମ୍ବରୁ ସୀସା ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ବିଧାୟକ ଭାବେ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଆଉ ଟିକେଟ୍ ମିଳିନଥିଲା ।

619

କନକ ବ୍ୟୁରୋ: ହାତରେ ଧାନ ବିହନ ଆଉ ବାଲ୍ଟି ଗୋଟେ ଧରି ବିଲକୁ ଫେରିଲେ ପୂର୍ବତନ ବିଧାୟକ । ରାଜନୀତି ବାଦ୍ ନିଜକୁ ଚାଷ କାମରରେ ନିୟୋଜିତ କଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା । ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ପୂର୍ବତନ ବିଧାୟକ ଡମ୍ବରୁ ସୀସା ଏବେ ଚାଷ କ୍ଷେତରେ ନିଜକୁ ନିୟୋଜିତ କରିଛନ୍ତି । ଜଣେ ସାଧାରଣ ମଣିଷ ପରି ବିଲରେ ଧାନ ବିହନ ବୁଣୁଥିବାର ଦେଖିବାକୁ ମିଳିଛି ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ଡମ୍ବରୁ ସୀସା ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ବିଧାୟକ ଭାବେ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଆଉ ଟିକେଟ୍ ମିଳିନଥିଲା । ଏହାପରେ ସେ ନିଜକୁ ଚାଷ କ୍ଷେତ୍ରରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତବକ , ଡମ୍ବରୁ ସୀସା ଚିତ୍ରକୋଣ୍ଡାର ଖଇରପୁଟ ଠାରେ ଥିବା ୩୦ ଏକର ଚାଷ ଜମିରେ ନିଜେ ଧାନ ବିହନ ବୁଣୁଛନ୍ତି । ଆଉ ଏକ ସାଧାରଣ ଲୋକଙ୍କ ଭଳି ନଜସ୍ୱ ଚାଷ ଜମିକୁ ସବୁଜିମା କରିବାକୁ ଅକ୍ରାନ୍ତ ପରିଶ୍ରମ କରିଛନ୍ତି ଏହି ପୂର୍ବତନ ବିଧାୟକ ।

ସବୁଠାରୁ ବଡ଼ କଥା ହେଲା କି, ଆଦିମ ବଣ୍ଡା ଜନଜାତିର ସବୁଠାରୁ ଉଚଶିକ୍ଷିତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡମ୍ବରୁ ସୀସା । ଯାହା କି ତାଙ୍କୁ ନିଜ ଅଞ୍ଚଳରେ ବେଶ୍ ପରିଚିତ କରିଛି । ହେଲେ ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ଚିତ୍ରକୋଣ୍ଡାର ଏହି ପୂର୍ବତନ ବିଧାୟକ ନିଜ କୂଳ ବେଉସା ଚାଷ କାର୍ଯ୍ୟକୁ ଭୂଲି ନାହାନ୍ତି । ଆଉ ରାଜନୀତି ମୈଦାନ ନୁହେଁ ବରଂ ନିଜର ପାରମ୍ପାରିକ ବୃତ୍ତି ଚାଷ କାର୍ଯ୍ୟ ପାଇଁ ଖୋଦ୍ ବିଲକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ ଡମ୍ବରୁ ସୀସା ।

ତେବେ କେବଳ ଡମ୍ବରୁ ସୀସା ନୁହଁନ୍ତି, ବରଂ ପୂର୍ବରୁ ମଧ୍ୟ ବିଷମ କଟକ ବିଧାୟକ ଜଗନ୍ନାଥ ସାରକା ବିଲରେ ଚାଷ କରୁଥିବା ନଜର ଆସିଛନ୍ତି । ଜନସେବା ସହ ନିଜର ପାରମ୍ପାରିକ ବେଉସାକୁ ନଭୂଲିବା ପାଇଁ ଏଭଳି ବାର୍ତ୍ତା ଦେଉଛନ୍ତି ଡମ୍ବରୁ ସୀସା ଏବଂ ଜଗନ୍ନାଥ ସାରକଙ୍କ ଭଳି ଲୋକପ୍ରତିନିଧି ।