ପୁରୀ ସ୍ୱର୍ଗଦ୍ୱାରରେ ଅବସରପ୍ରାପ୍ତ ଅଗ୍ନିଶମ ଡିଜି ବିନୟ ବେହେରାଙ୍କ ଶେଷକୃତ୍ୟ ସର୍ମ୍ପନ୍ନ !

20

କନକ ବ୍ୟୁରୋ : ଅବସରପ୍ରାପ୍ତ ଅଗ୍ନିଶମ ଡିଜି ବିନୟ ବେହେରାଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି । ମଧ୍ୟାହ୍ନରେ ବିନୟ ବେହେରାଙ୍କ ମରଶରୀର ସ୍ୱର୍ଗଦ୍ୱାରରେ ପହଁଚିବା ପରେ ଶେଷ ଦର୍ଶନ ପାଇଁ ଛୁଟିଥିଲା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ । ବହୁ ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ସାଂସଦ, ବିଧାୟକ ଏବଂ ଶିଳ୍ପପତି, ବିନୟ ବେହେରାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଦେଇଥିଲେ । ଜଣେ ସଚ୍ଚୋଟ ତଥା ନିର୍ଭିକ ଅଧିକାରୀ ଭାବେ ବିନୟ ବେହେରା ପୋଲିସ ଚାକିରିରେ ସେବା ନିର୍ବାହ କରିଛନ୍ତି ।

ଗତକାଲି ଅଗ୍ନିଶମ ବିଭାଗର ପୂର୍ବତନ ଡିଜି ବିନୟ ବେହେରାଙ୍କ ପରଲୋକ ହୋଇଥିଲା । ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ୬୦ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗରେ ପୋଲିସ, ପ୍ରଶାସନ ଓ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

binay୧୯୮୨ ବ୍ୟାଚର ଆଇପିଏସ ଅଫିସର ବିନୟ ବେହେରା ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ । ଅବସର ନେବା ରାତିରେ ହିଁ ସେ ଅସୁସ୍ଥ ହୋଇପଡିଥିଲେ । ନଭେମ୍ବର ୧ରେ ବିନୟ ବେହେରା ନିମୋନିଆରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଶରୀରର ଅନ୍ୟାନ୍ୟ ଅଂଗକୁ ସଂକ୍ରମଣ ବଢିଯିବାରୁ ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖି ଚିକିତ୍ସା କରାଯାଉଥିଲା । ଗତ ୩ ତାରିଖରେ କିଡନୀ ଅଚଳ ହେବାରୁ ତାଙ୍କର ନିୟମିତ ଡାଇଲେସିସ କରାଯାଉଥିଲା । ତେବେ ଡାକ୍ତରମାନଙ୍କ ବହୁ ଚେଷ୍ଟା ପରେ ବି ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଆଉ ଗତକାଲି ରାତି ସାଢେ ୧୦ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଶ୍ରୀ ବେହେରା ୨୦୦୭ ନଭେମ୍ବରରେ ଦୈତ୍ୟ ନଗରୀ କଟକ-ଭୁବନେଶ୍ୱରର ପ୍ରଥମ ପୁଲିସ୍ କମିସନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଅକ୍ଟୋବର ୩୧ ତାରିଖ ଦିନ ଅବସର ଗ୍ରହଣ କରିବା ସନ୍ଧ୍ୟାରେ ଅନୁଷ୍ଠିତ ଏକ ବିଦାୟକାଳୀନ ନୈଶଭୋଜିରେ ହିଁ ସେ ଅସୁସ୍ଥତା ଅନୁଭବ କରି ଅଧାରୁ ଘରକୁ ଫେରି ଯାଇଥିଲେ । ତେବେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍ ଅଧିକାରୀ ଭାବରେ ସୁପରିଚିତ ଶ୍ରୀ ବେହେରା ଯେ ଚିରବିଶ୍ରାମ ନେଇଯିବେ ତାହା କେହି କଳ୍ପନା କରିନଥିଲେ ।

Binay-Beheraଶ୍ରୀ ବେହେରା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡ଼ି ଗାଁରେ ୧୯୫୭, ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଫେସର ଭୁବନେଶ୍ୱର ବେହେରା ରାଉରକେଲାର ରିଜିଓନାଲ ଇଂଜିନିୟରିଂ କଲେଜର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାରୁ ଶ୍ରୀ ବେହେରାଙ୍କ ବାଲ୍ୟକାଳ ରାଉରକେଲାରେ କଟିଥିଲା । ୧୯୮୨ରେ ଆଇପିଏସରେ କୃତକାର୍ଯ୍ୟ ହେବା ପରେ ୧୯୮୫ରେ ଭଞ୍ଜନଗର ଏସ୍ଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଅତିରିକ୍ତ ଏସପି, କଳାହାଣ୍ଡି, ପୁରୀ, କଟକ, ମୟୂରଭଞ୍ଜ, ରାଉରକେଲାର ଏସପି ଭାବେ କାର୍ଯ୍ୟ କରିଥିଲେ । କମିସନରେଟ୍ ପୁଲିସର ପ୍ରଥମ ପୁଲିସ କମିସନର ଭାବେ ସେ ୨୦୦୭, ନଭେମ୍ବର ୭ରୁ ୨୦୦୮, ମେ’ ୭ ତାରିଖ ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ।
ପୁଲିସ ଯୋଗାଯୋଗ ବିଭାଗର ଆଇଜି, ହୋମଗାର୍ଡ ଓ ଅଗ୍ନିଶମ ଏଡିଜି ଭାବେ କାର୍ଯ୍ୟ କରିବା ପରେ ସେ ସେହି ବିଭାଗର ଡିଜି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କ ଚାକିରିକାଳ ମଧ୍ୟରେ ଶ୍ରୀ ବେହେରା ଅନେକ ସଂସ୍କାରମୂଳକ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ବିପୁଳ କ୍ଷତିରେ ଚାଲୁଥିବା ବେଳେ ଶ୍ରୀ ବେହେରା ଏହି ସଂସ୍ଥାକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିପାରିଥିଲେ । ଏହି ସଫଳତାକୁ ଆଇଆଇଏମ୍, ଅହମଦାବାଦ୍ ସ୍ୱୀକୃତି ଦେଇ ପାଠ୍ୟକ୍ରମରେ କେସ୍ ଷ୍ଟଡି ଭାବରେ ସାମିଲ୍ କରିଛି । ସେହିପରି ମଣିଷ-ହାତୀ ଲଢ଼େଇ ପ୍ରସଙ୍ଗରେ ଗବେଷଣା କରି ଶ୍ରୀ ବେହେରା ଡକ୍ଟରେଟ୍ ଲାଭ କରିଥିଲେ । ଏହାଛଡ଼ା ପୁଲିସ୍ କମିସନର ଭାବରେ ଦାୟିତ୍ୱ ନେବା ପରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଥିବା ସମ୍ପର୍କର ଖୁଲାସା କରି ସେ ଚର୍ଚ୍ଚାରେ ଥିଲେ ।