ଚିର ନିଦ୍ରାରେ ପୁର୍ବତନ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିନୟ ବେହେରା ! ନିମୋନିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ହୋଇଥିଲେ ଭର୍ତ୍ତି, ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

19

କନକ ବ୍ୟୁରୋ: ଅଗ୍ନିଶମ ବିଭାଗର ପୂର୍ବତନ ଡିଜି ବିନୟ ବେହେରାଙ୍କ ପରଲୋକ । ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୬୦ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗରେ ପୋଲିସ, ପ୍ରଶାସନ ଓ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

୧୯୮୨ ବ୍ୟାଚର ଆଇପିଏସ ଅଫିସର ବିନୟ ବେହେରା ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ । ଅବସର ନେବା ରାତିରେ ହିଁ ସେ ଅସୁସ୍ଥ ହୋଇପଡିଥିଲେ । ନଭେମ୍ବର ୧ରେ ବିନୟ ବେହେରା ନିମୋନିଆରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଶରୀରର ଅନ୍ୟାନ୍ୟ ଅଂଗକୁ ସଂକ୍ରମଣ ବଢିଯିବାରୁ ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖି ଚିକିତ୍ସା କରାଯାଉଥିଲା । ଗତ ୩ ତାରିଖରେ କିଡନୀ ଅଚଳ ହେବାରୁ ତାଙ୍କର ନିୟମିତ ଡାଇଲେସିସ କରାଯାଉଥିଲା । ତେବେ ଡାକ୍ତରମାନଙ୍କ ବହୁ ଚେଷ୍ଟା ପରେ ବି ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଆଉ ଗତକାଲି ରାତି ସାଢେ ୧୦ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀ ବେହେରାଙ୍କ ମୃତ୍ୟୁରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଡାକ୍ତରଖାନାରେ ପହଂଚି ଶେଷ ଦର୍ଶନ କରିଛନ୍ତି ।

ଶ୍ରୀ ବେହେରା ୨୦୦୭ ନଭେମ୍ବରରେ ଦୈତ୍ୟ ନଗରୀ କଟକ-ଭୁବନେଶ୍ୱରର ପ୍ରଥମ ପୁଲିସ୍‌ କମିସନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଅକ୍ଟୋବର ୩୧ ତାରିଖ ଦିନ ଅବସର ଗ୍ରହଣ କରିବା ସନ୍ଧ୍ୟାରେ ଅନୁଷ୍ଠିତ ଏକ ବିଦାୟକାଳୀନ ନୈଶଭୋଜିରେ ହିଁ ସେ ଅସୁସ୍ଥତା ଅନୁଭବ କରି ଅଧାରୁ ଘରକୁ ଫେରି ଯାଇଥିଲେ । ତେବେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍‌ ଅଧିକାରୀ ଭାବରେ ସୁପରିଚିତ ଶ୍ରୀ ବେହେରା ଯେ ଚିରବିଶ୍ରାମ ନେଇଯିବେ ତାହା କେହି କଳ୍ପନା କରିନଥିଲେ ।

ଶ୍ରୀ ବେହେରା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡ଼ି ଗାଁରେ ୧୯୫୭, ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଫେସର ଭୁବନେଶ୍ୱର ବେହେରା ରାଉରକେଲାର ରିଜିଓନାଲ ଇଂଜିନିୟରିଂ କଲେଜ (ବର୍ତମାନର ଏନଆଇଟି)ର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାରୁ ଶ୍ରୀ ବେହେରାଙ୍କ ବାଲ୍ୟକାଳ ରାଉରକେଲାରେ କଟିଥିଲା । ୧୯୮୨ରେ ଆଇପିଏସରେ କୃତକାର୍ଯ୍ୟ ହେବା ପରେ ୧୯୮୫ରେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଅତିରିକ୍ତ ଏସ୍‌ପି, କଳାହାଣ୍ଡି, ପୁରୀ, କଟକ, ମୟୂରଭଞ୍ଜ, ରାଉରକେଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । କମିସନରେଟ୍‌ ପୁଲିସ୍‌ର ପ୍ରଥମ ପୁଲିସ କମିସନର ଭାବେ ସେ ୨୦୦୭, ନଭେମ୍ବର ୭ରୁ ୨୦୦୮, ମେ’ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ପୁଲିସ ଯୋଗାଯୋଗ ବିଭାଗର ଆଇଜି, ହୋମଗାର୍ଡ ଓ ଅଗ୍ନିଶମ ଏଡିଜି ଭାବେ କାର୍ଯ୍ୟ କରିବା ପରେ ସେ ସେହି ବିଭାଗର ଡିଜି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କ ଚାକିରିକାଳ ମଧ୍ୟରେ ଶ୍ରୀ ବେହେରା ଅନେକ ସଂସ୍କାରମୂଳକ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବିପୁଳ କ୍ଷତିରେ ଚାଲୁଥିବା ବେଳେ ଶ୍ରୀ ବେହେରା ଏହି ସଂସ୍ଥାକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିପାରିଥିଲେ । ଏହି ସଫଳତାକୁ ଆଇଆଇଏମ୍‌, ଅହମଦାବାଦ୍‌ ସ୍ୱୀକୃତି ଦେଇ ପାଠ୍ୟକ୍ରମରେ କେସ୍‌ ଷ୍ଟଡି ଭାବରେ ସାମିଲ୍‌ କରିଛି । ସେହିପରି ମଣିଷ-ହାତୀ ଲଢ଼େଇ ପ୍ରସଙ୍ଗରେ ଗବେଷଣା କରି ଶ୍ରୀ ବେହେରା ଡକ୍ଟରେଟ୍‌ ଲାଭ କରିଥିଲେ । ଏହାଛଡ଼ା ପୁଲିସ୍‌ କମିସନର ଭାବରେ ଦାୟିତ୍ୱ ନେବା ପରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଥିବା ସମ୍ପର୍କର ଖୁଲାସା କରି ସେ ଚର୍ଚ୍ଚାରେ ଥିଲେ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜି ସାହିତ୍ୟରେ ପିଜି କରିଥିବା ଶ୍ରୀ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ରୁଚି ରଖୁଥିଲେ । ଜଣେ ଅମାୟିକ ଓ ଲୋକପ୍ରିୟ ଆଇପିଏସ୍‌ ଅଧିକାରୀ ଭାବରେ ସୁପରିଚିତ ଥିଲେ । ସ୍ୱର୍ଗତଃ ବେହେରାଙ୍କ ପତ୍ନୀ ଜୟଶ୍ରୀ ମହାପାତ୍ର ଜେକେବିକେ କଲେଜରେ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ବାଙ୍ଗାଲୋରରେ ଇଂଜିନିୟର ଅଛନ୍ତି । ବଡ଼ ବୋହୂ ବେଲଜିୟମରେ ରହୁଛନ୍ତି । ସାନପୁଅ ନୂଆ ଦିଲ୍ଲୀରେ ପାଠ ପଢୁଛନ୍ତି । ଭଉଣୀ ସାହିତ୍ୟିକା ଡ.ଯଶୋଧାରା ମିଶ୍ର ଦିଲ୍ଳୀରେ ବାସ କରନ୍ତି ।  ଦୁଇ ଭାଇ ମଳୟ ଓ ଅଜୟ ବେହେରାଙ୍କ ସମେତ ସମସ୍ତ ପରିବାରବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଆଜି ତାଙ୍କର ପୁରୀରେ ଶେଷକୃତ୍ୟ କରାଯିବ ।

ଶ୍ରୀ ବେହେରାଙ୍କ ମୃତ୍ୟୁରେ ପୁଲିସ୍‌ ମହଲରେ ଶୋକର ଛାୟା ଖେଳିଯାଇଛି । ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଏଡିଜି ସତ୍ୟଜିତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍‌ ଅଫିସର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିନୟ କୁମାର ବେହେରାଙ୍କ ଅକାଳ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଚାକିରି ଜୀବନରୁ ଅଳ୍ପ କିଛି ଦିନ ତଳେ ଅବସର ନେଇଥିବା ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍‌ ଅଧିକାରୀ ଶ୍ରୀ ବେହେରାଙ୍କ ବିୟୋଗ ଦୁଃଖଦାୟକ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ନୀଳାଦ୍ରୀବିହାର ଯୁବ ସାଂସ୍କୃତିକ ସଂଘର ଶୋକ

ଅବସରପ୍ରାପ୍ତ ପୂର୍ବତନ ଅଗ୍ନିଶମ ଡିଜି ତଥା କମିସନରେଟ୍‌ ପୁଲିସ୍‌ର ପ୍ରଥମ କମିସନର ବିନୟ କୁମାର ବେହେରାଙ୍କ ବିୟୋଗରେ ନୀଳାଦ୍ରୀବିହାର ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଜଣେ ସ୍ୱନାମଧନ୍ୟ କର୍ତ୍ତବ୍ୟନିଷ୍ଠ ପୁଲିସ୍‌ ଅଧିକାରୀ ଭାବରେ ସୁପରିଚିତ ଶ୍ରୀ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।