ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ବିଜେଡିରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ

ଝାରସୁଗୁଡ଼ା ଓ ସୁନ୍ଦରଗଡ଼ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା ଲାଗିଛି

346
କନକ ବ୍ୟୁରୋ : ଝାରସୁଗୁଡ଼ା ଓ ସୁନ୍ଦରଗଡ଼ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ଶନିବାର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ। ସୁନିତା ବିଶ୍ବାଳ ସଂପ୍ରତି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିବା ବେଳେ ଆଗାମୀ ନିର୍ବାଚନରେ ସେ ସୁନ୍ଦରଗଡ଼ ଆସନରୁ କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ବାଳ ଓ ବିହାରୀ ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସୁନିତା ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଗତ ଜାନୁଆରିରେ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ନବ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଝାରସୁଗୁଡ଼ା କଂଗ୍ରେସର ମଙ୍ଗ ଧରିବାକୁ ଶ୍ରୀ ବିଶ୍ବାଳ ଆଗଭର ହୋଇଥିଲେ। ନିକଟରେ ସେ ତାଙ୍କ ଝିଅକୁ କଂଗ୍ରେସ ଟିକେଟ ଦେବା ପାଇଁ ଆବେଦନ ମଧ୍ୟ କରିଥିଲେ। ସୁନ୍ଦରଗଡ଼ରେ ସୁନିତାଙ୍କୁ କଂଗ୍ରେସ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ହଠାତ୍ ସୁନିତା କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ପଛରେ କାହା ଭୂମିକା ରହିଛି ତାହା ଆଲୋଚନାର ବିଷୟ ହୋଇଛି।
ବିଜେଡି ସୁନିତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଥିବା ଆଲୋଚନା ହେଉଛି। ଏହାକୁ ଖୋଦ୍ ସୁନିତା ମଧ୍ୟ ଅସ୍ବୀକାର କରିନାହାନ୍ତି। ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନାମ ଲୋକସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ହୋଇଥିବା ବେଳେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ସୁପାରିସ କରାଯାଇଥିଲା, କିନ୍ତୁ ଏଥିରେ ସୁନିତା କୁଆଡ଼େ ଅଖୁସି ଥିଲେ। ଏଥିପାଇଁ ସେ ବିଜେଡିକୁ ଯିବାକୁ ମନ ବଳାଇଥିବା କୁହାଯାଉଛି।
୨୦୧୯ ନିର୍ବାଚନରେ ବିଜେପି ଜୁଏଲ ଓରାମ ଓ କଂଗ୍ରେସ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ବିଜେଡି ସୁନ୍ଦରଗଡ଼ ଭୋଟ ରାଜନୀତିକୁ କିଛି ମାତ୍ରାରେ ପ୍ରଭାବିତ କରୁଥିବା ଭୂୟାଁ ପ୍ରାର୍ଥୀ ସନ୍ଧାନରେ ଥିଲା। ଠିକ୍ ଏହି ସମୟରେ ଭୂୟାଁ ସମ୍ପ୍ରଦାୟର ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ କିଛି ଦିନ ଧରି ଚର୍ଚ୍ଚାରେ ରହିବା ପରେ ବିଜେଡିରେ ଯୋଗ ଦେବେନାହିଁ ବୋଲି ସେ ସିଧାସଳଖ କହିଥିଲେ। ଏହା ପରେ ଶାସକ ବିଜେଡି ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ଦଳ ଲୋକସଭା ଟିକଟରୁ ବଞ୍ଚିତ କରିଥିବା ସୁନିତାଙ୍କୁ ପ୍ରାର୍ଥୀ କରି ଏକା ସାଙ୍ଗରେ ଭୂୟାଁ ଓ ମହିଳା କାର୍ଡ ଖେଳିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଯଦି ସୁନିତା ବିଜେଡିରେ ଯୋଗ ଦେଇ ସିଧାସଳଖ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦଙ୍କ ଭୂମିକା କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।